(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଉତ୍କଟ ହେବାରେ ଲାଗିଛି ବେକାରୀ ସମସ୍ୟା । କିନ୍ତୁ ସରକାର ସମୁଦ୍ରକୁ ଶଙ୍ଖେ ଦେବା ନ୍ୟାୟରେ ମାତ୍ର କିଛି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରି ବସି ଯାଉଛନ୍ତି । ତେବେ ସବୁଠାରୁ ଦୁର୍ଭାଗ୍ୟଜନକ କଥାଟି ହେଉଛି ବିଜ୍ଞପ୍ତି ପ୍ରକାଶ ପାଇବାର ୫ ବର୍ଷ ପରେ ବି ସଂପୃକ୍ତ ପଦବି ପୂରଣ ପାଇଁ ପ୍ରାରମ୍ଭିକ ଲିଖିତ ପରୀକ୍ଷା ମଧ୍ୟ ହୋଇ ପାରୁ ନାହିଁ । ରାଜ୍ୟରେ ସରକାରୀ ସ୍ତରରେ ଖାଲି ପଡ଼ିଥିବା ପଦବିରେ ନିଯୁକ୍ତି ଦେବାକୁ ଓପିଏସ୍ସି ହେଉ ଅବା ଓଏସ୍ଏସ୍ସି କେତେ ତତ୍ପରତା ଦେଖାଉଛନ୍ତି ତାହା ବିଚାର ଯୋଗ୍ୟ ।
ଭାତହାଣ୍ଡିରୁ ଗୋଟିଏ ଭାତ ଦେଖିବା ପରି ଯଦି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସ୍ଏସ୍ସି)ର ୱେବସାଇଟ୍ କୁ ଅନୁଧ୍ୟାନ କରାଯାଏ ତେବେ ଜଣାପଡୁଛି ଯେ ନିଯୁକ୍ତି ନାଁ ରେ ସରକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପ୍ରତି କେଉଁ ଭଳି ଭାବେ ଅନ୍ୟାୟ କରୁଛନ୍ତି। ତେବେ ଆସନ୍ତୁ ଉଦାହରଣ ନେଇ ବୁଝିବା ନିଯୁକ୍ତି ନାଁରେ କେମିତି ଧୋକା ପାଉଛନ୍ତି ଶିକ୍ଷିତ ଯୁବକ ଓ ଯୁବତୀମାନେ।
୨୦୧୫ରେ ଆସିଷ୍ଟାଣ୍ଟ ଫଡର୍ ଡେଭଲପମେଣ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ପାଖାପାଖି ଛଅ ବର୍ଷ ବିତିଲାଣି ତଥାପି ବି ଲିଖିତ ପରୀକ୍ଷା ହୋଇନି । ସେହିପରି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦବି ପାଇଁ ୨୦୧୬ ମସିହାରେ ଓଏସ୍ଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବହୁ ସଂଖ୍ୟକ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ। କିନ୍ତୁ ଆଜି ସୁଦ୍ଧା ମୁଖ୍ୟ ଲିଖିତ ପରୀକ୍ଷା ହୋଇପାରିଲା ନାହିଁ। ତେବେ ଆସନ୍ତା ୩୦ ତାରିଖରେ ସମ୍ଭାବ୍ୟ ପରୀକ୍ଷା ହେବ ବୋଲି ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ୨୦୧୬ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜୁନିୟର କ୍ଳର୍କ, କଂପ୍ୟୁଟର ଅପରେଟର କମ୍ ଷ୍ଟୋର କିପର, ଇଲେକ୍ଟ୍ରିସିଆନ୍ ପଦବି ପାଇଁ ଲିଖିତ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇ ନାହିଁ ।
୨୦୧୭ରେ ମଧ୍ୟ ଓଏସ୍ଏସ୍ସି ଲିଗାଲ ମେଟ୍ରୋଲୋଜନି ଇନିସପେକ୍ଟର, ମାର୍କେଟ ଇଣ୍ଟେଲିଜେନସ୍ ଇନିସପେକ୍ଟର ପଦବି ପାଇଁ ବିଜ୍ଞପ୍ତି ବାହାରି ଥିଲା। ଏଠାରେ ମଧ୍ୟ ସମାନ ପରିସ୍ଥିତି, ଏଯାଏଁ ମଧ୍ୟ ଏହାର ପ୍ରକ୍ରିୟା ଆରମ୍ଭ ହୋଇନି । ୨୦୧୯ର ଇଣ୍ଡଷ୍ଟ୍ରିଜ ପ୍ରମୋସନ ଅଫିସର, କମ୍ବାଇନଡ୍ ଅଡିଟର, ପୌରାଞ୍ଚଳ ପାଇଁ ଜୁନିଅର ଆସିଷ୍ଟାଣ୍ଟ ଓ ଷ୍ଟାଫ ନର୍ସ ପଦବି ପାଇଁ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି ହେଲା। ଆଶାୟୀ ମଧ୍ୟ ହଜାର ହଜାର ସଂଖ୍ୟାରେ ଆବେଦନ କଲେ । କିନ୍ତୁ ସମାନ ସ୍ଥିତି ମୂଳ ଲିଖିତ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇନି । ତେବେ ଏଥିରୁ ଜଣାପଡି ଯାଉଛି ଯେ ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ଦେବାକୁ ସରକାର କେତେ ତତ୍ପର।
ଆଉ ଏକ ଉଦାହରଣ, ୨୦୧୪ ମସିହା ଡିସେମ୍ବର ମାସରେ ଆରଆଇ ଓ ଅମିନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ୬ ବର୍ଷ ପରେ ଅର୍ଥାତ ୨୦୨୦ ଜୁନ୍ ୧୬ରେ ପରୀକ୍ଷା ହେବ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଗଲା । ଏଭଳି ନିଯୁକ୍ତିକୁ ବିଚାରକୁ ନେଲେ SC/ST ବର୍ଗର ଜଣେ ଛାତ୍ର କିମ୍ବା ଛାତ୍ରୀ ଯଦି ୩୭ ବର୍ଷରେ ଚାକିରି ପାଇଁ ଆବେଦନ କରିଥିବ ତେବେ ୬ ବର୍ଷ ପରେ ପରୀକ୍ଷା ଦେବ । ପରୀକ୍ଷା ଫଳ ପ୍ରକାଶ ପାଇ ଚାକିରି ପାଇବା ବେଳକୁ ଆଉ ୨ ବର୍ଷ ଲାଗିବ । ତା’ପରେ ଚୁକ୍ତିଭିତ୍ତିକ ହୋଇ ଆଉ ୬ ବର୍ଷ ପାଇଁ କାମ କରିବ ତେବେ ଦୀର୍ଘ ୧୪ ବର୍ଷ ପରେ ୫୧ ବର୍ଷରେ ଯାଇ ସଂପୃକ୍ତ ବ୍ୟକ୍ତି ଜଣକ ରେଗୁଲାର ଚାକିରୀ ତାଲିକାଭୁକ୍ତ ହେବେ । ତେବେ ସରକାର ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପଦୋନ୍ନତି ପାଇଁ ବିଚାରକୁ ନେଉ ନାହାନ୍ତି । ଏହାର ଅର୍ଥ ହେଉଛି ସଂପୃକ୍ତ ବ୍ୟକ୍ତି ନିଜ ଚାକିରି କାଳ ମଧ୍ୟରେ ଗୋଟିଏ ପଦୋନ୍ନତି ଲାଗି ଯୋଗ୍ୟ ବିବେଚିତ ହେବେ ନାହିଁ । ତେବେ ସଂପୃକ୍ତ ବ୍ୟକ୍ତି ପ୍ରତି ସରକାର ଅନ୍ୟାୟ କରୁ ନାହାନ୍ତି ତ ?
ସରକାରୀ ତଥ୍ଯ କହୁଛି ଯେ , ୫ ଲକ୍ଷ ୮୩ ହଜାର ମଞ୍ଜରୀପ୍ରାପ୍ତ ପଦବିରୁ ଏବେ ୧ ଲକ୍ଷ ୩୧ ହଜାର ୫୧୮ ପଦବି ଖାଲି ପଡ଼ିଛି । ଗୃହ ବିଭାଗରେ ୧୬ ହଜାର ୭୮୧ ପଦବି ଖାଲି ପଡ଼ିଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗରେ ୧୬ ହଜାର, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୩୦,୨୯୯ ପଦବି , ପୂର୍ତ୍ତ ବିଭାଗରେ ୩୪୮୦ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରେ ୨୮୬୨ ପଦବି ଫାଙ୍କା ପଡ଼ିଛି । ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ବହୁ ପଦବିରେ ପ୍ରଫେସର ପଦବୀ ଖାଲି ପଡ଼ିଛି । ଆଉ ସରକାରଙ୍କୁ ଠିକା ନିଯୁକ୍ତି ସୁହାଉଛି। ତେବେ ବିଭିନ୍ନ ମହଲରୁ ଦାବି ଉଠୁଛି ଯେ, ସରକାର ଗୋତି ଶ୍ରମିକ ଭଳି ଠିକା ନିଯୁକ୍ତି ବନ୍ଦ କରି ସେମାନଙ୍କୁ ରେଗୁଲାର ଭାବେ ନିଯୁକ୍ତି ଦିଆଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠୁଛି।