
ଭୁବନେଶ୍ଵର,୧୫/୧୨ (ସତ୍ୟପାଠ ବ୍ୟୁରୋ): ରିଲିଜ୍ ହେବା ପୂର୍ବରୁ ଫିଲ୍ମ ‘ପଠାନ୍’କୁ ନେଇ ବିବାଦ ମୁଣ୍ଡ ଟେକିଛି। ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ‘ବେସରମ୍ ରଂଗ’ ଗୀତ ଏବେ ରିଲିଜ୍ ହୋଇ ସାରିଛି। ତେବେ ଏହି ଗୀତ ରିଲିଜ ହେବା ପରେ ସେଥିରେ ଦୀପିକା ପିନ୍ଧିଥିବା ପୋଷାକଙ୍କୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକାଙ୍କ ଏହି ବେଶଭୂଷାକୁ ନେଇ ସମାଲୋଚନା କରିବା ପରେ କିଛି ଆନ୍ଦୋଳନକାରୀ ଏବେ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଶାହାରୁଖ୍ ଓ ଦୀପିକାଙ୍କ କୁଶପୁତ୍ତଳିକା ଦାହ କରି ‘ପଠାନ୍’କୁ ବିରୋଧ କରିଛନ୍ତି।
ବୀର ଶିବାଜୀ ଗ୍ରୁପ୍ର କିଛି କର୍ମୀ ଏହି ଆନ୍ଦେଳନ କରି ଶାହାରୁଖ ଓ ଦୀପିକାଙ୍କ କୁଶପୁତ୍ତଳିକାକୁ ଦାହ କରିଛନ୍ତି। ଏହା ସହ ଆଗାମୀ ଜାନୁଆରୀରେ ରିଲିଜ ହେବାକୁ ଥିବା ଏହି ଫିଲ୍ମଟିକୁ ସେମାନେ ବ୍ୟାନ୍ କରିବାକୁ ମଧ୍ୟ ଦାବି କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ‘ବେସରମ୍ ଗୀତ’ରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ଭାବନାକୁ ଆଘାତ ଲାଗିଛି।
ତେବେ ଏହି ଗୀତାରେ ଦୀପିକାଙ୍କ ପୋଷାକକୁ ନେଇ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ମଧ୍ୟପ୍ରଦେଶ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ସିନେମାରେ ଦୀପିକାଙ୍କ ପୋଷାକ ଓ କିଛି ଦୃଶ୍ୟକୁ ଯଦି ପରିବର୍ତ୍ତନ କରା ନଗଲା ତେବେ ରାଜ୍ୟରେ ସିନେମା ରିଲିଜ ହୋଇପାରିବ ନାହିଁ।
ସୂଚନାଯୋଗ୍ୟ ଯେ, ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁଆରି ମାସରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକ ଏହି ଫିଲ୍ମରେ ଶାହରୁଖ ଖାନ୍ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି।