ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଏମ୍‌ସି ସଭାକକ୍ଷରେ ୧୦ଟି ବିଭାଗକୁ ନେଇ ବସିଥିବା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅଧୁରା କାମ ସବୁକୁ ଶୀଘ୍ର ସାରିବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ, ମୁଁ ୧୨ ଲକ୍ଷ ଲୋକଙ୍କ ଜନ ପ୍ରତିନିଧି । ଆପଣଙ୍କୁ ହାତ ଯୋଡି ନିବେଦନ କରୁଛି,ଅଧୁରା ପ୍ରକଳ୍ପ ତୁରନ୍ତ ସାରନ୍ତୁ। ଲୋକଙ୍କ ପାଖରେ ଆମେ ଉତ୍ତରଦାୟୀ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସହର ସାରା ଗଳି କନ୍ଦି ରାସ୍ତାକୁ ୱାଟ୍‌କୋ ଖୋଳି ପକାଇଛି । ବର୍ଷା ହେଲେ ଆଣ୍ଠୁଏ କାଦୁଅ ଜମୁଛି । ରାସ୍ତାରେ ଗାଡ଼ି ଚଳାଇବା ଦୂର, ଚାଲିକରି ଯିବା ବି କଷ୍ଟ ହେଉଛି । ଜନ ପ୍ରତିନିଧିଙ୍କୁ ଉତ୍ତର ମାଗୁଛନ୍ତି ୱାର୍ଡବାସୀ । ନନ୍ଦନବିହାର, ପ୍ରଭାତଭିଲ୍ଲା, ମନ୍ଦାକିନୀ ଆପାର୍ଟମେଣ୍ଟ, ରଙ୍ଗେଶ୍ୱର ନଗର, ପଦ୍ମାମତୀ ବିହାର ନାଲକୋ ଛକରୁ ଜୟଦେବ ବିହାର, ନୂଆ ଏୟାରପୋର୍ଟ ରାସ୍ତା ଖୋଳାତଡ଼ା ହୋଇ ପଡ଼ିଛି । ତେଣୁ ଏସବୁ ରାସ୍ତାକୁ ତୁରନ୍ତ ସାରିବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କାମ ତୁରନ୍ତ ସାରିବାକୁ ସେ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ।

ଏନ୍‌ଏଚ୍‌ଆଇ ଏମ୍‌ସ୍‌ ପକ୍ଷରୁ କସମୋପଲିସ ପାଖରେ ଚାଲିଥିବା ଡ୍ରେନ୍‌ କାମ ବର୍ତ୍ତମାନ ସୁଦ୍ଧା ସରିଲା ନାହିଁ । ନହରକଣ୍ଟାରୁ ପାତ୍ରପଡା, ଆଚାର୍ଯ୍ୟବିହାରରୁ ଜୟଦେବ ବିହାର ରାସ୍ତାରେ ପାଣି ଜମୁଛି । ତେଣୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ କୁହାଯାଇଛି । ଜଳସମ୍ପଦ ବିଭାଗ ଅଧୀନରେ ଥିବା ଡ୍ରେନ ନିର୍ମାଣ ତୁରନ୍ତ ସାରିବାକୁ ବୈଠକରେ କୁହାଯାଇଛି । ୱାର୍ଡ ନଂ-୪ରେ ଥିବା ପ୍ରାଚୀଧାରା ନୟନଝରରୁ ପାହାଳ ପର୍ଯ୍ୟନ୍ତ ସଫେଇ କରିବାକୁ କୁହାଯାଇଛି । ସେହିପରି ପ୍ରାଚୀ ଡିଭିଜନ ଅଧିକାରୀଙ୍କୁ ଦୟାନଦୀରେ ଜମିଥିବା ଦଳ ସଫା କରିବାକୁ କୁହାଯାଇଛି । ଏଥିରେ ଏନ୍‌ଏଚ୍‌ଏଆଇ, ଇଡ୍‌କୋ, ଜଳ ସମ୍ପଦ, ୱାଟ୍‌କୋର ଅଧିକାରୀଙ୍କ ସମେତ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ସିଟି ଯନ୍ତ୍ରୀ ଉପସ୍ଥିତ ଥିଲେ ।

୩୭ ସାନିଟାରି ଇନ୍ସପେକ୍ଟରଙ୍କୁ ନିଯୁକ୍ତି

ରାଜଧାନୀର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଏମ୍‌ସି ପକ୍ଷରୁ ୩୭ ଜଣ ନୂଆ ସାନିଟାରି ଇନ୍‌ସପେକ୍ଟର (ଏସ୍‌ଆଇ)ଙ୍କୁ ନିଯୁକ୍ତି ଦିଆଯାଇଛି । ମଙ୍ଗଳବାର ସେମାନେ ବିଧିବଦ୍ଧ ଭାବେ ବିଏମ୍‌ସି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।

ପୂର୍ବାହ୍ନରେ ମେୟରଙ୍କ ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ ଏସ୍‌ଆଇଙ୍କୁ ନିଯୁକ୍ତି ଦେଇଛନ୍ତି । ମେୟର ଶ୍ରୀମତୀ ଦାସ କହିଛନ୍ତି, ୱାର୍ଡବାସୀଙ୍କ ପରିମଳ ସମସ୍ୟା ସମାଧାନ ଦିଗରେ ସହଯୋଗ କରିବାକୁ ବିଏମ୍‌ସି ପ୍ରୟାସ ଆରମ୍ଭ କରିଛି । ସହରକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନେବାକୁ ନବନିଯୁକ୍ତ ଏସ୍‌ଆଇଙ୍କୁ ପରାମର୍ଶ ଦେଇଛନ୍ତି । ବିଏମ୍‌ସିର ୬୭ଟି ୱାର୍ଡ ପାଇଁ ମାତ୍ର ୨୦ ଜଣ ଏସ୍‌ଆଇ ରହିଥିଲେ । ଫଳରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ୱାର୍ଡ ସଫେଇ ଠିକ୍‌ ଭାବେ ହେଉନାହିଁ । ଯାଞ୍ଚ ମଧ୍ୟ ହେଉନାହିଁ । ବିଏମ୍‌ସି କମିଶନର ଶ୍ରୀ କୁଲାଙ୍ଗେ ଯୋଗଦେବା ପରେ ପରିମଳ ଉପରେ ଗୁରୁତ୍ୱ ଦେଉଛନ୍ତି ।

ଏସ୍‌ଆଇ ମାନେ ୱାର୍ଡ ସଫେଇ, ଘାସ କଟା, ଡୋର ଟୁ ଡୋର୍‌ ଅଳିଆ ସଂଗ୍ରହ ଆଦି ସମୀକ୍ଷା କରିବେ । ଏହା ସହ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରିବା ଉପରେ ସଚେତନ କରିବାକୁ କୁହାଯାଇଛି । ସେହିପରି ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ୫ ମିଟର ଦୂରରୁ ସଫା କରିବା ନେଇ ସଚେନତ କରିବାକୁ କୁହାଯାଇଛି । ଏହି ସବୁ ଏସ୍‌ଆଇ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ ସେଲଫ୍‌ ଗର୍ଭନାସରୁ ପାସ୍‌ କରିବା ପରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ପ୍ରଦୀପ୍ତ କୁମାର କାନୁନଗୋ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପବିତ୍ର କୁମାର କାନୁନଗୋ, ଅତିରିକ୍ତ କମିଶନର ବିନୟ କୁମାର ଦାଶ,ସୂର୍ଯ୍ୟବଂଶୀ ମୟୂର ବିକାଶ, ସିଏଫ୍‌ଓ ଲାବଣ୍ୟ ଶବର ଏବଂ ୩ ଜୋନର ଜେଡିସି ଉପସ୍ଥିତ ଥିଲେ ।