କରୋନା ଭୟ: ରାଜଧାନୀରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ବଢ଼ିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ହାର ଏବେ ଉପରମୁହା ଥିଲା ବେଳେ, ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବେକାବୁ ହୋଇଛି। ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଦିଲ୍ଲୀ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। ପୂର୍ବରୁ ମଧ୍ୟ ଏହି ନିୟମ ରହିଥିଲା। ହେଲେ ଏବେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ। ଏନେଇ ଆଜି ସରକାର ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯଦି କେହି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ତେବେ ଘରୋଇ ୪ ଚକିଆ ଯାନରେ ଯାଉଥିବା ଲୋକମାନଙ୍କ ଉପରେ ଜୋରିମାନା ଲାଗୁ ହେବନି। କିନ୍ତୁ ଟ୍ୟାକ୍ସି, ଅଟୋ ଓ ବସ୍‌ରେ ମାସ୍କ ନ ପିନ୍ଧିଲେ ଜୋରିମାନା ଆଦାୟ କରାଯିବ।

ଏଲଏନଜେପିଏନ ହସ୍ପିଟାଲରୁ ଓମିକ୍ରନର ନୂଆ ଭ୍ୟାରିଏଣ୍ଟ ଠାବ କରାଯାଇଛି। ଠାବ ହୋଇଥିବା ଓମିକ୍ରନର BA 2.75 ଭ୍ୟାରିଏଣ୍ଟ ଅନ୍ୟ ଷ୍ଟ୍ରେନ ଗୁଡ଼ିକ ତୁଳନାରେ ଅଧିକ ସଂକ୍ରାମକ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ସୁରେଶ କୁମାର କହିଛନ୍ତି। ତାଙ୍କର ଏହି ସୂଚନା ପରେ ସରକାର ପ୍ରଥମ ପଦକ୍ଷେପ ଭାବେ ମାସ୍କ ନିୟମକୁ କଡ଼ାକଡ଼ି କରିଛନ୍ତି।

ବୁଧବାର ଦିଲ୍ଲୀରୁ ୨୧୪୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ଏଠାରେ ଟିପିଆର ୧୭.୮୩% ରହିଛି। ଗତ ୨୪ ଘଣ୍ଟାରେ କରୋନା ଆଉ ୮ ଜଣଙ୍କ ଜୀବନ ନେଇଛି। ଏହା ୧୮୦ ଦିନ ମଧ୍ୟରେ ସର୍ବାଧିକ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ନିକଟରେ ଦିଲ୍ଲୀରେ ସଂକ୍ରମଣ ଚିନ୍ତା ଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି କହିଥିଲେ।

Related Posts