ପ୍ରାଇଭେଟ୍ ହସ୍ପିଟାଲର କବଜାରେ କରୋନା ଟିକା , ମେ ମାସରେ ଉତ୍ପାଦନର ୫୦ ପ୍ରତିଶତ ଷ୍ଟକ୍ କିଣିଛନ୍ତି ୯ ଟି କର୍ପୋରେଟ୍ ହସ୍ପିଟାଲ୍ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ଟିକାର ଅଭାବ ସାଙ୍ଗକୁ ମାଗଣା ଟୀକାକରଣ ପାଇଁ ବିରୋଧୀ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ରର ଟୀକାକରଣ ନୀତିକୁ ସମାଲୋଚନା କରିଛନ୍ତି। ତେବେ ଏସବୁ ମଧ୍ୟରେ ଟୀକାକରଣ ଡ୍ରାଇଭକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୋଦୀ ସରକାର ଏପ୍ରିଲ ମଧ୍ୟ ଭାଗରେ ହଠାତ୍ ଟୀକାକରଣ ନୀତିରେ ପରିବର୍ତ୍ତନ କଲେ। ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ ଟିକା ଅସମାନତା ମହାମାରୀ ବିରୋଧରେ ଭାରତର ସଂଗ୍ରାମରେ ବାଧା ସୃଷ୍ଟି କରିପାରେ। କିନ୍ତୁ କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଘରୋଇ ଡାକ୍ତରଖାନାଗୁଡ଼ିକୁ ନିଜେ ଟିକା କିଣି ଦର ନିର୍ଦ୍ଧାରଣ କରିବା ପାଇଁ ଅନୁମତି ଦେଇଦେଲେ । ବର୍ତ୍ତମାନ ଏହା ଏକ ଚିନ୍ତାର ବିଷୟ ପାଲଟିଛି। କାରଣ ମେଟ୍ରୋପଲିଟିଆନ୍ ସିଟି ରେ ଥିବା ୯ ଟି କର୍ପୋରେଟ୍ ହସ୍ପିଟାଲ୍ ମେ ମାସରେ ୫୦ ପ୍ରତିଶତ କରୋନାଭାଇରସ୍ ଟିକା ଷ୍ଟକ୍ କିଣିଥିଲେ। ଏହି ନଅଟି ବେସରକାରୀ ସଂସ୍ଥା ହେଉଛନ୍ତି – ଆପୋଲୋ ହସ୍ପିଟାଲ୍, ମ୍ୟାକ୍ସ ହେଲଥ କେୟାର, ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ HN ହସ୍ପିଟାଲ ଟ୍ରଷ୍ଟ, ମେଡିକା ହସ୍ପିଟାଲ, ଫୋର୍ଟିସ୍ ହେଲଥ କେୟାର, ଗୋଡ୍ରେଜ, ମଣିପାଲ ହେଲଥ, ନାରାୟଣ ହ୍ରୁଦାଳୟ, ଟେକ୍ନୋ ଇଣ୍ଡିଆ ଦାମା । ଏହି ୯ଟି କର୍ପୋରେଟ ହସ୍ପିଟାଲ ସମୁଦାୟ ଏକ କୋଟି ୨୦ ଲକ୍ଷ ଷ୍ଟକ୍ ରୁ ୬୦.୫୭ ଲକ୍ଷ ଡୋଜ କିଣିଛନ୍ତି। ଟୀକାକରଣର ତୃତୀୟ ପର୍ଯ୍ୟାୟ ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଘୋଷଣା କରି ସେମାନଙ୍କୁ ଟିକା କିଣିବାକୁ ଅନୁମତି ଦେଇଥିଲେ। ଟିକା ଉତ୍ପାଦନକାରୀ କଂପାନୀ ଗୁଡ଼ିକ ଠାରୁ ୫୦ ପ୍ରତିଶତ ଟିକା କିଣିବା ପାଇଁ କେନ୍ଦ୍ର ସରକାର ପ୍ରାଇଭେଟ୍ ସଂସ୍ଥାକୁ ଅନୁମତି ଦେଇଥିଲେ। ଏହାପୂର୍ବରୁ କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡିକୁ ଟିକା ବଣ୍ଟନ କରୁଥିଲା। ୪୫ ବର୍ଷରୁ ଅଧିକ ବୟସ୍କ, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ସରକାର ୫୦ % ଡୋଜ ନିଜେ କିଣି ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ମୂଳ ଅର୍ଥ ହେଉଛି ୪୫ ବର୍ଷରୁ କମ୍ ସମସ୍ତଙ୍କ ପାଇଁ ଟୀକାକରଣ ରାଜ୍ୟ କିମ୍ବା ଲୋକେ ନିଜେ ଚିନ୍ତା କରିବେ । ତେବେ କେନ୍ଦ୍ର ସରକାରଙ୍କ ଏହି ନୂତନ “ଉଦାରବାଦୀ ଏବଂ ତ୍ୱରିତ” ରଣନୀତିକୁ କଡ଼ା ସମାଲୋଚନା ମଧ୍ୟ କରାଯାଇଛି। ଏପ୍ରିଲ ଆରମ୍ଭରୁ ପ୍ରାୟ ପ୍ରତି ସପ୍ତାହରେ ଟୀକାକରଣ ହାର କ୍ରମାଗତ ଭାବେ ହ୍ରାସ ପାଇଛି କାରଣ ଅନେକ ରାଜ୍ୟ ଟିକା ଅଭାବ ଥିବା ନେଇ ଅଭିଯୋଗ କରିଛନ୍ତି। ଆପୋଲୋ ଗ୍ରୁପର ନଅଟି ଡାକ୍ତରଖାନା ୧୬.୧ ଲକ୍ଷ ଡୋଜ ଟିକା କିଣିଛି , ମ୍ୟାକ୍ସ ହେଲଥ କେୟାରର ୬ ଟି ଡାକ୍ତରଖାନା ୧୨.୯୭ ଲକ୍ଷ ଡୋଜ କିଣିଛି ଏବଂ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ HN ହସ୍ପିଟାଲ ଟ୍ରଷ୍ଟ ୯.୮୯ ଲକ୍ଷ ଡୋଜ ଟିକା କିଣିଛି। ସେହିପରି ଫୋର୍ଟିସ୍ ହେଲଥ କେୟାରର ଆଠଟି ଡାକ୍ତରଖାନା ୪.୪୮ ଲକ୍ଷ ଡୋଜ, ମେଡିକା ହସ୍ପିଟାଲରେ ୬.୨୬ ଲକ୍ଷ ଡୋଜ, ଗୋଡ୍ରେଜ ୩.୩୫ ଲକ୍ଷ ଡୋଜ କ୍ରୟ କରିଥିବାବେଳେ ମଣିପାଲ ହେଲଥ ୩.୨୪ ଲକ୍ଷ ଡୋଜ କ୍ରୟ କରିଛି। ନାରାୟଣ ହ୍ରୁଦଳୟ ଏବଂ ଟେକ୍ନୋ ଇଣ୍ଡିଆ ଦାମା ମଧ୍ୟ ଯଥାକ୍ରମେ ୨.୦୨ ଲକ୍ଷ ଏବଂ ୨ ଲକ୍ଷ ଡୋଜ ଟିକା କିଣିଛନ୍ତି। ଏହି ଡାକ୍ତରଖାନାଗୁଡ଼ିକ ମଧ୍ୟରୁ ଅଧିକାଂଶ ମେଟ୍ରୋ ସିଟି , ରାଜ୍ୟ ରାଜଧାନୀ ଏବଂ ଟାୟାର ୱାନ୍ ସହରରେ ରହିଛି। ଆଉ ଏହା ଦ୍ୱାରା ଟିକା ବିତରଣରେ ଅସମାନତା ଦେଖାଦେଇଛି। ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକା ପାଇଁ ଘରୋଇ ଡାକ୍ତରଖାନା ପାଇଁ କ୍ରୟ ମୂଲ୍ୟ ୬୦୦ ଟଙ୍କା ଏବଂ ଭରତ ବାୟୋଟେକ୍ ର କୋଭାକ୍ସିନ୍ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । କିନ୍ତୁ ଡାକ୍ତରଖାନାଗୁଡ଼ିକ ହିତାଧିକାରୀଙ୍କୁ କୋଭିଶିଲ୍ଡ ପାଇଁ ୮୫୦ ରୁ ୧୦୦୦ ଟଙ୍କା ଏବଂ କୋଭାକ୍ସିନ ପାଇଁ ୧୨୫୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ଚାର୍ଜ କରୁଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ମୁତାବକ ଟାୟାର -ଥ୍ରୀ ସହରର ଡାକ୍ତରଖାନା ଗୁଡ଼ିକ ମାତ୍ର ହଜାରେ ଡୋଜ ଟିକା ପାଇପାରିବେ। କର୍ଣ୍ଣାଟକର ଶିମୋଗା ସହର ଯାହାର ଜନସଂଖ୍ୟା ୩.୨୨ ଲକ୍ଷ ହୋଇଥିବା ବେଳେ ସେଠାକାର ସରଜି ନାମକ ଏକ ଘରୋଇ ଡାକ୍ତରଖାନା ମାତ୍ର ୬ ହଜାର କୋଭିଶିଲ୍ଡ ଡୋଜ ପାଇବାରେ ସଫଳ ହୋଇଥିଲା । ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ଛୋଟ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଟିକା ଅଭାବ ଦେଖାଦେଇଛି। ହିନ୍ଦୁ ସଭା ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ ଡ ବୈଭବ ଦେବ ଦେର୍ଗିରକର କହିଛନ୍ତି ଯେ ,” ଆମେ ୩୦ ହଜାର ଡୋଜ ଅର୍ଡର କରିଛୁ, ମାତ୍ର ୩ ହଜାର ପାଇଛୁ। ପାୱାରଫୁଲ୍ ନେଟୱାର୍କ ଏବଂ ଅତ୍ୟଧିକ ସମ୍ବଳ ଥିବା ବଡ ବଡ ଡାକ୍ତରଖାନା ମାନେ ଟିକା ଉତ୍ପାଦନକାରୀ କମ୍ପାନୀ ଠାରୁ ଅଧିକ ଟିକା ଆଣିବାରେ ସକ୍ଷମ ହେଉଛନ୍ତି । ” ବାଙ୍ଗାଲୋରର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍ ର ଆସୋସିଏଟ୍ ପ୍ରଫେସର ତେଜଲ କାଣ୍ଟିକର କହିଛନ୍ତି ଯେ ଟିକା ଉତ୍ପାଦନକାରୀ କଂପାନୀ ମାନେ ଅଧିକ ଘରୋଇ ସଂସ୍ଥା ଏବଂ ଡାକ୍ତରଖାନାକୁ ଅଧିକ ଷ୍ଟକ୍ ବିକ୍ରୟ କରିବାକୁ ଚାହୁଁଛନ୍ତି। କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ୪୫ ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ମାଗଣା ଟୀକାକରଣ ଏବଂ ୧୮-୪୫ ବୟସ ବର୍ଗର ଲୋକଙ୍କ ପାଇଁ ଟଙ୍କା ଦେଇ ଟୀକାକରଣ କରିବା ନୀତି ହେଉଛି “ ମନମୁଖୀ ଏବଂ ଅଯୌକ୍ତିକ ”।

Related Posts