
ନୂଆଦିଲ୍ଲୀ: ଗତକିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ, ଏବେ ଦେଶରେ କ୍ରମଶଃ ବଢୁଛି କୋରୋନା ସଂକ୍ରମଣ ହାର । ହଜାର ତଳକୁ ଖସିଥିବା ଦୈନିକ ପଜିଟିଭ ମାମଲା ଏବେ ପୁଣି ଉପର ମୁହାଁ ହୋଇଛି | ୩ ହଜାର ପାର୍ କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ।
ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପୁଣି ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,303 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଶ୍ବସ୍ତିକର ବିଷୟ ଯେ, ସଂକ୍ରମଣ ବଢୁଥିଲେ ହେଁ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ 39 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 2,563 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 16,980କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,281,26 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,693 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 188 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 19,53,437 ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସମୟରେ ଦିଲ୍ଲୀ ସମେତ କିଛି ରାଜ୍ୟରେ ସଂକ୍ରମଣ ଅଧିକ ବଢୁଥିବାର ଦେଖାଯାଉଛି ।
ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୨୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।