(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହତା ବର୍ତ୍ତମାନ ସୁଦ୍ଧା ଯାଇ ନଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଚେତାବନୀ ଦେଲେଣି ବିଶେଷଜ୍ଞ।ବିଶେଷଜ୍ଞଙ୍କ ଚେତାବନୀ ଅନୁଯାୟୀ ଚଳିତ ମାସରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅଗଷ୍ଟ ମାସରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଅକ୍ଟୋବରରେ ସଂକ୍ରମଣ ପିକ୍ ରେ ପହଞ୍ଚିବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ ଦେଢ ଲକ୍ଷ ହୋଇ ପାରେ। ଗତ ଏକ ସପ୍ତାହ ଧରି ଦେଶରେ ପ୍ରତିଦିନ ୪୦ ହଜାରରୁ ଅଧିକ ନୂଆ ମାମଲା ରୁଜୁ ହେଉଛି ।
ହାଇଦ୍ରାବାଦ ଏବଂ କାନପୁର ଆଇଆଇଟିରେ ମଥୁକୁମଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଅକ୍ଟୋବରରେ ତୃତୀୟ ତରଙ୍ଗର ପିକ୍ ରେ ପହଞ୍ଚି ପାରେ। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ବିଦ୍ୟାସାଗର କହିଛନ୍ତି ଯେ କେରଳ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଯୋଗୁଁ ପରିସ୍ଥିତି ପୁଣି ଥରେ ସାଙ୍ଘାତିକ ହୋଇପାରେ। ରିପୋର୍ଟରେ ଦାବି କରାଯାଇଛି ଯେ କେରଳ ଏବଂ ମହାରାଷ୍ଟ୍ରରେ କରୋନା ମାମଲା ଯେପରି ଆସୁଛି, ଏହା ପରିସ୍ଥିତିକୁ ଆହୁରି ଖରାପ କରିପାରେ ।ତେବେ ବର୍ତ୍ତମାନ ଯାହା ଆଶା କରାଯାଉଛି କୋଭିଡ -19 ର ତୃତୀୟ ତରଙ୍ଗ ଦ୍ୱିତୀୟ ତରଙ୍ଗ ଭଳି ମାରାତ୍ମକ ହେବ ନାହିଁ।
ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର କହିଥିଲେ ଯେ ଗାଣିତିକ ମଡେଲ ଆଧାରରେ ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ମଧ୍ୟରେ ପିକ୍ ରେ ପହଞ୍ଚିପାରେ। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ବିଦ୍ୟାସାଗର ସେହି ସମୟରେ କହିଥିଲେ, ‘ଆମେ ଯାହା ଜାଣିବାକୁ ପାଇଛୁ କିଛି ଦିନ ମଧ୍ୟରେ ପିକ୍ ଆସିବ। ବର୍ତ୍ତମାନର ଆକଳନ ଅନୁଯାୟୀ, ଜୁନ୍ ଶେଷ ସୁଦ୍ଧା ଦୈନିକ କୋଡିଏ ହଜାର ମାମଲା ରୁଜୁ ହୋଇପାରେ।
ଦେଶର ଦଶଟି ରାଜ୍ୟରେ ସଂକ୍ରମଣ ବର୍ତ୍ତମାନ ବୃଦ୍ଧି ପାଉଛି ଏବଂ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାମାନଙ୍କରେ କଡା ପ୍ରତିବନ୍ଧକ ଲଗାଇବାକୁ ପଡିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ସହିତ କେନ୍ଦ୍ର ରାଜ୍ୟମାନଙ୍କୁ ୬୦+ ଏବଂ ୪୫-୬୦ ବୟସର ଲୋକଙ୍କ ମଧ୍ୟରେ କୋଭିଡ ଟେଷ୍ଟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ମୃତ୍ୟୁର ୮୦ ପ୍ରତିଶତ ଏହି ବୟସ ବର୍ଗରେ ଘଟିଥାଏ। ଦ୍ୱିତୀୟ ଲହରରେ ଥିବା ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅମ୍ଳଜାନ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀକୁ ପୂର୍ବରୁ ଉପଲବ୍ଧ ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୪୦ହଜାର ୧୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୬ହଜାର ୯୪୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୨୨ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରେ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ୯୫ହଜାର ୯୫୮ ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩କୋଟି ୮ଲକ୍ଷ ୫୭ହଜାର ୪୬୭ ଜଣ ଲୋକ ସୁସ୍ଥ ହେଲେଣି। ମୋଟ୍ ମୃତ୍ୟୁସଂଖ୍ୟା ଏବେ ୪ଲକ୍ଷ ୨୪ହଜାର ୭୭୩ ରେ ପହଞ୍ଚିଛି। ତେବେ ଦେଶରେ କରୋନା ଆକ୍ଟିଭ କେସ୍ ଦେଶରେ ୪ଲକ୍ଷ ୧୩ହଜାର ୭୧୮ ଜଣ ରହିଛନ୍ତି। ଦେଶରେ ମୋଟ୍ ଭ୍ୟାକ୍ସିନେସନ ୪୭କୋଟି ୨୨ଲକ୍ଷ ୨୩ହଜାର ୬୩୯ରେ ପହଞ୍ଚିଛି । ୨୪ ଘଣ୍ଟାରେ ୧୭ଲକ୍ଷ ୬ହଜାର ୫୯୮ଜଣଙ୍କୁ ଟିକାକରଣ କରାଯାଇଛି।
