ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିସନରେଟ ପୋଲିସ ଟିମକୁ ସଫଳତା ମିଳିଛି। ନକଲି ଔଷଧ ଯୋଗେଇ ଥିବା ବିହାରର ଦୁଇ ବ୍ୟବସାୟୀଙ୍କୁ ପୋଲିସ ଚିହ୍ନଟ କରିଛି। ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ଏହି ଔଷଧ କେଉଁଠାରେ ଉତ୍ପାଦନ ହୋଇଥଲା ଏବେ ତାର ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି।
ଏନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ନକଲି ଔଷଧ କାରବାର ମାମଲାରେ ତଦନ୍ତ ଚାଲିଛି।ଆମ ଅଫିସର ମାନେ ବିହାରରେ ଅଛନ୍ତି। ଏବେ ମଧ୍ୟ ତଦନ୍ତ ଜାରି ରହିଛି। ଗୟା ପୁଲିସ ସହ ମିଶି ବିଭିନ୍ନ ସ୍ଥାନରେ ରେଡ କରାଯିବା ସହ ପଚରାଉଚରା କରାଯାଉଛି। ଏହି ଘଟଣାରେ ଦୁଇ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁଠାରୁ ମେଡିସିନ ଆସିଥିଲା ସେଠାରେ ପହଞ୍ଚିବା ପାଇଁ ଚେଷ୍ଟା ଆମେ କରୁଛୁ। ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ଡିସିପି ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍ ଜବତ କରିଥିଲା। ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା। କୋଲକାତାର ଏକ ସଂସ୍ଥା ଭିଆର୍ ଡ୍ରଗ୍ସକୁ ଏହି ଔଷଧ ଯୋଗାଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚିଥିଲା । ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଇଥିଲା ।
ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୁଲିସ। ଉଭୟ ରାହୁଲ ଓ ସଞ୍ଜୟ ବେଙ୍ଗାଲୁରୁ ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଆଣୁଥିଲେ ନକଲି ମେଡିସିନ| ଏହି ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ କମିସନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଗିରଫ ଅଭିଯୁକ୍ତଙ୍କଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ଏକ ସ୍ବତନ୍ତ୍ର ପୁଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା।
