ସୁସ୍ଥ ହେଲେ କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

ତିରୁବନନ୍ତପୁରମ୍‌: କରୋନା ପରେ ଏବେ ସମଗ୍ର ଦେଶକୁ ମଙ୍କିପକ୍ସ ଭୟ ଘାରିଥିବା ବେଳେ, ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେ ତିରୁବନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌‌ରେ ଚିକିତ୍ସିତ ହେଉଥିଲେ। କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ‌େ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଯେହେତୁ ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା, ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି। ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ।

କେବଳ ତାଙ୍କର ନୁହେଁ, ତାଙ୍କ ପରିବାର ଲୋକଙ୍କର ବି ପରୀକ୍ଷା କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହା ଛଡ଼ା ମନ୍ତ୍ରୀ ଆହୁରି ବି ସୂଚନା ଦେଇଛନ୍ତି ଯେ କେରଳର ଅନ୍ୟ ୨ ମଙ୍କିପକ୍ସ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବି ଭଲ ରହିଛି। ସେମାନେ ବି ଖୁବ୍‌ ଶୀଘ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି।

Related Posts