ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶିଶୁ ଶ୍ରମିକକୁ ମାଡ଼ ମାରି ଗିରଫ ହେଲେ ଦମ୍ପତି । ବେଆଇନ ଭାବେ ଘରେ ନିଯୁକ୍ତ ରଖିଥିବା ୧୧ ବର୍ଷୀୟ ନାବାଳିକାକୁ ଗତକାଲି ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଶିଶୁ ଶ୍ରମିକ ଭାବେ ନାବାଳିକାକୁ ନିୟୋଜିତ କରିଥିଲେ ଦମ୍ପତି । ଏହି ଅଭିଯୋଗରେ ବିଭୂତି ପାଟ୍ଟଶାଣୀ ଓ ସୋନାଲି ସାହାଣୀଙ୍କୁ ଗିରଫ କରିଛି ପୁଲିସ । ଶିଶୁ ଶ୍ରମିକ ଭାବେ କାମ କରୁଥିବା ବେଳେ ନାବାଳିକାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି । ତେବେ ନାବାଳିକାର ଶରୀରରେ କ୍ଷତ ଚିହ୍ନ ଥିବା କହିଛି ପୁଲିସ ।
ସୂଚନା ଅନୁସାରେ, ସାଲିଆସାହି ଅଞ୍ଚଳରେ ଗତକାଲି ଜଣେ ନାବାଳିକାଙ୍କୁ ନିର୍ମମ ଭାବେ ମାଡ ମରାଯାଇଥିବା ଅଭିଯୋଗ ପରେ ଘଟଣାସ୍ଥଳରେ ଚାଇଲ୍ଡ ଲାଇନ ଓ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ଘଟଣାରେ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଶିଶୁ ଶ୍ରମିକ ଭାବେ କାମ କରୁଥିବା ନାବାଳିକାକୁ ମାଡ ମାରି ରାସ୍ତାରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ନାବାଳିକାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।
