ମାସ୍କ ପରେ ନେବୁଲାଇଜର ଘୋଟାଲା

ସତ୍ୟପାଠ Exclusive : ନିର୍ଦ୍ଧିଷ୍ଟ କମ୍ପାନୀ କୁ ଅନୁକମ୍ପା ଦେଖେଇବା ପାଇଁ କେନ୍ଦ୍ର ଓ ରାଜ୍ୟ ଗାଇଡଲାଇନ କୁ ଚାପିଦେଲେ

ସତ୍ୟପାଠ (ବ୍ଯୁରୋ) : କୋଭିଡ୍-୧୯ ମୁକାବିଲା ନାଁରେ ସରକାରଙ୍କ କଳା କାହାଣୀର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଫର୍ଦ୍ଦ ଆମେ ଉନ୍ମୋଚନ କରିବାକୁ ଯାଉଛୁ। ସରକାର ଏଭଳି ବିପତ୍ତି ସମୟରେ କେତେ ଚତୁରତାର ସହ ରାଜ୍ୟବାସୀଙ୍କୁ କାହାଣୀ ଶୁଣାଇ କିପରି ଠକି ପାରନ୍ତି ଏ ହେଉଛି ତାହାର ଜ୍ବଳନ୍ତ ନମୂନା। ପ୍ରତିଦିନ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ବିଜ୍ଞାପନ ମାଧ୍ୟମରେ ରାଜ୍ୟବାସୀଙ୍କ ମନରେ ଆତ୍ମବିଶ୍ବାସ ଭରି ଚାଲିଥିବା ବେଳେ ଏପଟେ କିନ୍ତୁ ଖୁଲମ୍ ଖୁଲା ରାଜ୍ୟ ରାଜକୋଷକୁ ଲୁଟ୍ କରି ଚାଲିଛି। ଆଜି ୧୦ମ ଅଧ୍ୟାୟରେ ଆମେ ଏଭଳି କିଛି ତଥ୍ୟ ରଖିବାକୁ ଯାଉଛୁ ଯାହା ରାଜ୍ୟ ସରକାରଙ୍କ ପ୍ରକ୍ୟୁରମେଣ୍ଟ ପଲିସ୍, ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶ, କେନ୍ଦ୍ରୀୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକୁ କିପରି ଫୁ କରି ଉଡାଇ ଦିଆଯାଇଛି ତାହାର ପ୍ରମାଣିତ କରିବ । ସରକାର ନିଜେ ଯେଉଁ ଆଇନ କରିଛନ୍ତି ତାହାକୁ ନିଜେ କିପରି ଭାଙ୍ଗିପାରନ୍ତି ତାହା ଏହି ଘଟଣାରେ ସ୍ପଷ୍ଠ ବାରି ହୋଇଯାଇଛି। ସରକାର ମଧ୍ୟ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଦଳିମକଚି ଦେଇଛନ୍ତି ଏହି ଘଟଣାରେ। ରାଜ୍ୟ ସରକାରଙ୍କ କୋଭିଡ୍ ପ୍ରକ୍ୟୁରମେଣ୍ଟ ଭିତରେ ପ୍ରତିଟି କିଣାବିକାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଏହି ବିପତ୍ତି ସମୟରେ ରାଜ୍ୟ ସରକାର ନେବୁଲାଇଜର ପ୍ରକ୍ୟୁର କଲେ ହେଲେ ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁସାରେ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲେ ତାହା ଖୋଲା ଟେଣ୍ଡର ବା ସୀମିତ ଟେଣ୍ଡରରେ କିଣାଯିବା କଥାକୁ ଭୁଲିଗଲେ। ରାତାରାତି ବିନା ଟେଣ୍ଡରରେ ରାଜଧାନୀର ଏକ ସଂସ୍ଥା (Spero Medical Solutions) ଠାରୁ ନେବୁଲାଇଜର କିଣିବା ପାଇଁ ଅନୁମତି ଦେଇଦେଲେ। ପଜିଟିଭ୍ ରୋଗୀଙ୍କ ଶ୍ବାସ ପ୍ରକ୍ରିୟାରେ ଆବଶ୍ୟକ ହେଉଥିବା ଏହି ନେବୁଲାଇଜରର ଆବଶ୍ୟକତା ଥାଏ। ୨୩ ମାର୍ଚ୍ଚରେ କୋଟେସନ ଦେଇଥିବା ସଂସ୍ଥାକୁ ୨୫ ମାର୍ଚ୍ଚରେ କିଣିବା ପାଇଁ ଅନୁମତି ଦେଇଦେଲେ।

1)ଏଠାରେ ପ୍ରଶ୍ନ କେଉଁ ପରିସ୍ଥିତିରେ ଏଭଳି ଏକ  ସଂସ୍ଥା ଯିଏକି କୋଟେସନରେ କୌଣସି ନିର୍ଦ୍ଦିଷ୍ଟ ମଡେଲ ର ସୂଚନା ଦେଇନାହିଁ ଅଥଚ ସରକାରଙ୍କ ଠାରୁ ଅନୁମତି ପାଇଲା କିପରି ?

2)କୋଟେସନ ଦାଖଲ କରିବାର ଗୋଟିଏ ଦିନ ଭିତରେ ପ୍ରକ୍ୟୁରମେଣ୍ଟ କମିଟି କିଭଳି ଲକ୍ଷାଧିକ ଟଙ୍କାର ଅର୍ଡର ଫଟାଫଟ ଫାଇନାଲ କରିଦେଲେ ? 

3)ପର୍ଚେସ କମିଟି ଅର୍ଡର ଇସ୍ୟୁ କଲାବେଳେ ଚିଠିରେ ମଡେଲ ନମ୍ବର ଲେଖିଲେ ନାହି କାହିଁକି ? ଅର୍ଥାତ ମନ ଇଛା ମେଟେରିଆଲ ସପ୍ଳାୟ ଦେଇ ଖସିଯିବାକୁ ସରକାର ଏହି ଜାଗାରେ ଗଲା ବାଟ ଦେଖେଇଦେଲେ କି?

4) ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକ୍ୟୁରମେଣ୍ଟ ଗାଇଡଲାଇନ ସ୍ପଷ୍ଟ ଭାବରେ କହୁଛି କି ଏକ ଲକ୍ଷ ରୁ ଊର୍ଦ୍ଧ୍ଵ ଟଙ୍କାର କାରବାର ହେଲେ ସରକାର ଓପେନ ଟେନ୍ଡର କରିବେ । କିନ୍ତୁ ଏହି ଜାଗାରେ କେବଳ କୋଟେସନ କଲ ରେ ପର୍ଚେସ ଅର୍ଡର ଦେଲେ କିଭଳି?

5) ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ  ବା ସିଭିସି ଙ୍କର ସ୍ପଷ୍ଟ ନିର୍ଦେଶ ଅଛି ଯେ ସରକାରୀ ପ୍ରକ୍ୟୁରମେଣ୍ଟ କେଉଁ ନୀତି ଓ ଆଚାର ସଂହିତା କୁ ପାଳନ କରାଯିବ ଆବଶ୍ୟକ ଅଥଚ ନେବୁଲାଇଜର କିଣା ମାମଲାରେ ଏହାକୁ ପୂରାପୂରି ସରକାର ଆଡେଇଗଲେ କିଭଳି? 

ଏହି ଜାଗାରେ ସରକାର ବାହାନା ନେଇ ପାରନ୍ତି ଯେ ପରିସ୍ଥିତି ଅତି ଜରୁରୀ ଥିଲା ତେଣୁ ବିନା ଟେଣ୍ଡର ରେ ଅର୍ଡର ଦେଲେ। ସେଥିପାଇଁ କେନ୍ଦ୍ର ସରକାର ଜି ଇ ଏମ ବା ଗଭର୍ନମେନ୍ଟ ଇ ମାର୍କେଟପ୍ଲେସ ରୁ ସମସ୍ତ କୋବିଦ ମେଟେରିଆଲ କିଣିବା ପାଇଁ ରାଜ୍ୟ ମାନଙ୍କୁ କହିଥିଲେ। ତ।  ଛଡା କେନ୍ଦ୍ରୀୟ ସରକାରୀ ଉଦ୍ଯୋଗ  HLL lifecare ରୁ ମଧ୍ୟ କୋଭିଡ ସାମଗ୍ରୀ କିଣିବା ପାଇଁ ରାଜ୍ୟ ମାନଙ୍କୁ କୁହାଯାଇଥିଲା ତା ସତ୍ବେ ଔଷଧ ନିଗମ ଯେଭଳିଭାବେ ଏହି ନିର୍ଦ୍ଧିଷ୍ଟ ସଂସ୍ଥା କୁ ଅନୁକମ୍ପା ଦେଖାଇଲା ତାହା ଏବେ ରହୟ କୋଭିଡ ପ୍ରକ୍ୟୁରମେଣ୍ଟ କମିଟି ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ଉଠେଇଛି ।

ନିୟମ ଅନୁସାରେ କୌଣସି ଜିନିଷ କିଣିବା ପୂର୍ବରୁ ସମସ୍ତ ବିଭାଗ ପ୍ରକ୍ୟୁରମେଣ୍ଟ ପଲିସିକୁ ଠିକ୍ ଭାବରେ ପାଳନ କରିବାକୁ ଅର୍ଥ ସଚିବ ଅଶୋକ ମୀନା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦେଖାଗଲା ସେ ସବୁକଥା କୁଆଡେ ଲୁଚିଗଲା, ଆଉ ଓଡିଶା ଔଷଧ ନିଗମ ତାର ମନଇଚ୍ଛାରେ Spଏro Medical Solutionସ ମାଧ୍ୟମରେ ନେବୁଲାଇଜର କିଣିବାକୁ ସ୍ଥିର କଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଯାହାଠାରୁ କିଣିବା ପାଇଁ ନିଷ୍ପତ୍ତି ନେଲେ ସେ କମ୍ପାନୀ ନେବୁଲାଇଜର ନିର୍ମାଣ କରେନା। ସରକାର ଚାହିଁଥିଲେ ସିଧାସଳଖ Oxymed କମ୍ପାନୀ ସହ କଥାହୋଇ କିଣି ପାରିଥାନ୍ତେ ଅଥଚ ତାହା କଲେନାହିଁ। ବରଂ ଜଣେ ମିଡିଲ ମେନ  ବା ଦଲାଲ ମାଧ୍ୟମରେ ରାଜ୍ୟ ସରକାର କିଣିବାକୁ ନିଷ୍ପତ୍ତି ନେଲେ। ସବୁଠାରୁ ତାଜୁବ୍ ହେଲାପରି ଘଟଣା ହେଲା ଏହି କୋଟେସନରେ ଯେଉଁ ବ୍ରାଣ୍ଡର ଓ ମଡେଲ ନମ୍ବର କଥା ଉଲ୍ଲେଖ କରାଯାଇଥିଲା ସରକାର  ପର୍ଚେସ ଅର୍ଡର ରେ ସେ କଥା ଉଲ୍ଲେଖ କଲେ ନାହି ।  Oxymade କମ୍ପାନୀ ପାଖରେ ୧୭ ଶହରୁ ନେଇ ୬ହଜାର ଟଙ୍କା ଯାଏ ନେବୁଲାଇଜର ଅଛି ଅଥଚ କେଉଁ ବ୍ରାଣ୍ଡର ପଇସା ଦେଇ ସରକାର କେଉଁ ବ୍ରାଣ୍ଡର ଜିନିଷ କିଣିଲେ ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ। ଗୋଟିଏ ପଟେ ସ୍ବଚ୍ଛତାର କାହାଣୀ ରାଜ୍ୟବାସୀଙ୍କୁ ଶୁଣା ଚାଲିଥିବା ବେଳେ ଯଦି ଏପ୍ରକାର ଦୁର୍ନୀତି ହୋଇପାରୁଛି ତାହା ହେଲେ ଅସମ୍ଭବ କ’ଣ ? ୫୯୦୦ ଟଙ୍କା ଦେଇ କେତେ ଟଙ୍କାର ନେବୁଲାଇଜର ପ୍ରକୃତରେ କିଣାଯାଇଛି ତାହା ସନ୍ଦେହ ସୃଷ୍ଠି କରୁଛି। ସରକାରଙ୍କ ମନୋବୃତ୍ତି ଧରା ପଡିଯାଉଛି କୋଟେସନ ପାସ୍ କରିବା ବେଳେ। ସରକାର ଏପିଡେମିକ ଆକ୍ଟକୁ ରାତି ଅଧିଆ ଯେପରି କ୍ୟାବିନେଟ ନିଷ୍ପତ୍ତିକୁ ଅପେକ୍ଷା ନକରି ପ୍ରକ୍ୟୁରମେଣ୍ଟ ନିୟମକୁ ଆମେଣ୍ଡମେଣ୍ଟ କଲେ ଏହା ପଛର ଉଦ୍ଦେଶ୍ୟକୁ ଏବେ ପଦାରେ ପଡି ଯାଇଛି। ସମ୍ବିଧାନର ଧାରା ୧୪ ବା ସମାନ ସୁଯୋଗରୁ ବଞ୍ଚିତ କରୁଥିବା ଭଳି ଅଭିଯୋଗ ଆସିଛି ଏହି କିଣାବିକାରେ। ଆଉ ଏକ ଘଟଣାକ୍ରମରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସମ୍ବାଦପତ୍ର ଏପରିକି ଇଂରାଜୀ ଖବରକାଗଜ ମାନଙ୍କ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ପ୍ରତିଦିନ ରଙ୍ଗୀନ ବିଜ୍ଞାପନ ଛାପିବା ଆରମ୍ଭ କରି ଦେଇଛନ୍ତି।

ମାସ୍କ ଦୁର୍ନୀତିର କଥା ପଦାକୁ ଆସିବା ପରେ ରାଜ୍ୟ ସରକାର ହଟାତ୍ ସମ୍ବାଦପତ୍ର ମାନଙ୍କ ପ୍ରତି ଏତେ ବଦାନ୍ୟତା ଦେଖାଇବା ଆରମ୍ଭ କରି ଦେଇଛନ୍ତି କାହିଁକି ସେହି ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଛି। ଯେତବେଳେ ରାଜ୍ୟ ଆର୍ଥିକ ଦୁରାବସ୍ତା ଦେଇ ଗତିକରୁଛି ସେତବେଳେ ବଡବଡ ଅକ୍ଷରରେ( ଏପରିକି ୭୨ ପଏଣ୍ଟ ଫଣ୍ଡ) ବିଜ୍ଞାପନ ଖବର କାଗଜରେ ଚାପିବା ପଛର କାରଣ କଣ ହୋଇପାରେ ? ଯେତବେଳେ ସମସ୍ତ ଆବଶ୍ୟକ ଜିନିଷ ବଜାରରେ ବହୁଳ ଉପଲବ୍ଧ ସେତବେଳେ ଗୁପ୍ତ କୋଟେସନରେ ଜିନିଷ କିଣିବା ଆଉ ଦୁର୍ନୀତିର କଥା ପଦାକୁ ଆସିବା ପରେ ଗଣମାଧ୍ୟମର ମୁହଁ ବନ୍ଦ କରିବା ପାଇଁ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦେବା ଏହା ସରକାରଙ୍କ ସ୍ବଚ୍ଛତା ଆଉ ନିଷ୍ଠାପରତାକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଠିକରୁଛି। ଏ ସମସ୍ତ କଥାରେ ନା ତତାକଥିତ 5T ସଚିବ ବା ସ୍ବାସ୍ଥ୍ୟ ସଚିବ କେହି ପାଟି ଖୋଲୁ ନାହାନ୍ତି। ଆମେ ମଧ୍ୟ ଏକଥା ସ୍ପଷ୍ଠ କରିବାକୁ ଚାହୁଁ ଯେତେଦିନ ଯାଏ ସରକାର ସବୁକଥାକୁ ଚାପିବାକୁ ଚେଷ୍ଠା କରୁଥିବେ ସେତେଦିନ ଯାଏ ଏ ଖବର ଗୋଟିଏ ପରେ ଗୋଟିଏ ଛପା ଚାଲିଥିବ।

Related Posts