ରାଜ୍ୟରେ ବଢୁଛି ଗୋ ଚାଲାଣ ସହ ଗୋ’ମାଂସ ଚାଲାଣ: ଗତ ଏକ ବର୍ଷ ମଧ୍ୟରେ ୧୩.୫ ଟନ୍‌ ଗୋ’ମାଂସ ଜବତ

ଖୋର୍ଦ୍ଧା : ରାଜ୍ୟରେ ବଢ଼ୁଛି ଗୋ ଚାଲାଣ ସହ ଗୋ’ମାଂସ ଚାଲାଣ। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ ଏକାଧିକ କଣ୍ଟେନରରେ ଗୋରୁଙ୍କୁ ବାହାର ରାଜ୍ୟ ଦେଇ ବାଂଲାଦେଶ ଚାଲାଣ କରାଯାଉଛି।

ଖୋର୍ଦ୍ଧାରେ ଏକ ରାକେଟ ସକ୍ରିୟ ରହି ବାହାର ରାଜ୍ୟର ବେପାରୀଙ୍କୁ ସହଯୋଗ କରୁଛି। ଗତ ଏକ ବର୍ଷ ମଧ୍ୟରେ ଖୋର୍ଦ୍ଧା ପୋଲିସ ମୋଟ୍‌ ୧୩.୫ ଟନ୍‌ (୧୩୫ କୁଇଣ୍ଟାଲ) ଗୋ’ମାଂସ ଜବତ କରିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ତେବେ ୨୦୨୧ ସେପ୍ଟେମ୍ବରରେ ଜଟଣୀ ଏବଂ ଖୋର୍ଦ୍ଧା ଟାଉନ ପୋଲିସ ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗୋମାଂସ ଜବତ କରିବା ସହ ୫ ଚାଲାଣକାରୀଙ୍କୁ ଗିରଫ କରିଥିଲା। ସେହିପରି ଶନିବାର ଓଡ଼ିଶାରୁ ହାଇଦ୍ରାବାଦ ଚାଲାଣ ହୋଇଥିବା ୧୨୦ କୁଇଣ୍ଟାଲ ଗୋ’ମାଂସ ବୋଝେଇ ଟ୍ରକ୍‌ ଜବତ କରିବା ସହ ବେଗୁନିଆ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଜିଲାର ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ଦୁର୍ବୃତ୍ତମାନେ ଟ୍ରକ୍‌ରେ ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ପରେ ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଏମାନଙ୍କ ଏଜେଣ୍ଟ କାମ କରୁଥିବା ଜଣାପଡ଼ିଛି। ବିଶେଷକରି ଖୋର୍ଦ୍ଧା ଉପକଣ୍ଠ ତରତୁଆ ଏବଂ ଜଟଣୀ ବେଣାପଞ୍ଜୁରୀ ଅଞ୍ଚଳରେ ଗୋଚାଲାଣକାରୀ ସକ୍ରିୟ ରହିଛନ୍ତି। ଏଠାରୁ ଅନେକ ସମୟରେ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଥିବା ନଜିର ରହିଛି। ପୂର୍ବରୁ ମଧ୍ୟ ବେଣାପଞ୍ଜୁରୀରେ ଶତାଧିକ ଗୋରୁ କଟାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଏପରି କି ତରତୁଆ, ଶରଧାପୁର ଗ୍ରାମ ନିକଟ ଜଙ୍ଗଲରେ ଶତାଧିକ ଗୋରୁଙ୍କୁ ଚାଲାଣ, ଗୋମାଂସ ପାଇଁ ଏକାଠି କରାଯାଇଥିବା ଜଣାପଡ଼ିବା ପରେ ଖୋର୍ଦ୍ଧା ଟାଉନ ପୋଲିସ ବାରମ୍ବାର ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲା। ୨୦୨୧ ସେପ୍ଟେମ୍ବର ୧୪ରେ ଜଟଣୀ ବ୍ଲକ ବେଣାପଞ୍ଜୁରୀ ଅଞ୍ଚଳରୁ ଏକ ଟ୍ରକ୍‌ରେ ଗୋମାଂସ ଚାଲାଣ ହେଉଥିଲା। ଗାଡ଼ି ଚକା ମାଟିରେ ଦବିଯିବାରୁ ଘଟଣା ପଦାକୁ ଆସିଥିଲା। ଖବରପାଇ ଜଟଣୀ ପୋଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଗାଡ଼ି ସହ ୨୪ ପେଟି ଗୋମାଂସ ଜବତ ପରେ ଏହାକୁ ପୋତି ଦେଇଥିଲା। ଏହି ଗୋମାଂସ ଜଟଣୀରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା।

ସେହିପରି ଖୋର୍ଦ୍ଧା ଟାଉନ ପୋଲିସ ୨୦୨୧ ସେପ୍ଟେମ୍ବର ୧୬ରେ ତରତୁଆ କବରସ୍ଥାନ ନିକଟରେ ଆଇଚର ଗାଡ଼ିରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ସେଠାରୁ ୭ କୁଇଣ୍ଟାଲ ଗୋମାଂସ ଜବତ କରି ଜଙ୍ଗଲରେ ପୋତିଥିଲା। ପୋଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପରେ ପୋଲିସ ଏହି ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରିଛି। ଏଠାରୁ ଗୋମାଂସ ହାଇଦ୍ରାବାଦ ଚାଲାଣ ହେଉଥିବା ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ ଗତ କିଛିମାସ ମଧ୍ୟରେ ଚାଲାଣ ବେଳେ ୫ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋମାଂସ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଗୋ’ପ୍ରେମୀମାନେ ଦାବି କରିଛନ୍ତି ।

Related Posts