ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ

ପୁରୀ : ଶରଧା ବାଲିରେ ଲାଗିଛି ମହାପ୍ରଭୁଙ୍କ ୩ ରଥ । ତେବେ ଆଜି ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଏକ ଅଘଟଣ ସାମ୍ନାକୁ ଆସିଛି । ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ ଦେଖାଦେଇଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ ।

ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ ଟଣାଯାଇ ନାକଚଣା ଦୁଆରକୁ ନିଆଯାଇଥାଏ । ତା’ ପୂର୍ବରୁ ୩ ରଥର ଚକକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥାଏ । ଆଜି ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି।

ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରଥ ଚକକୁ ଯାଞ୍ଚ କରୁଛନ୍ତି।
ଏନେଇ ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଅଜିତ ମହାପାତ୍ର କହିଛନ୍ତି, ଦକ୍ଷିଣ ମୋଡ଼ ଓ ବାହୁଡ଼ା ଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସବୁବର୍ଷ ନିୟମିତ ପ୍ରକ୍ରିୟା ଭାବେ ଯାଞ୍ଚ କରାଯାଇଥାଏ। ଆଜି ରଥ ଚକରେ ଫାଟ ଥିବା ଜଣାପଡ଼ିଥିବା ବେଳେ ଦକ୍ଷିଣ ମୋଡ଼ ପୂର୍ବରୁ ଏହାର ମରାମତି କାମ କରାଯିବ ।

ସୂଚନାଯୋଗ୍ୟ, ରଥର ଦକ୍ଷିର ମୋଡ଼ ପୂର୍ବରୁ ଯାଞ୍ଚ କରାଯିବା ପରି ରଥନାକଚଣା ଦୁଆରରେ ପହଞ୍ଚିଲେ ପୁନର୍ବାର ଯାଞ୍ଚ ହେବ । ପୂର୍ତ୍ତ ବିଭାଗ, ବିଶ୍ୱକର୍ମା ମହାରଣା, କମାର ସେବକ ଉପସ୍ଥିତ ରହି ଏହି ଯାଞ୍ଚ କରିବେ । ଆଜି ଯାଞ୍ଚ ବେଳେ ରଥ ଚକର ଯେଉଁ ଅଂଶ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଛି ତାହାକୁ ଆସନ୍ତାକାଲି ମରାମତି କରାଯିବ ।

Related Posts