ଗୋପାଳ ଦାସ ଘରେ କ୍ରାଇମ୍‌ବ୍ରାଞ୍ଚର ତନାଘନା; ପତ୍ନୀ ଓ ପୁତୁରାକୁ ଜେରା, ବ୍ୟାଙ୍କ ପାସ୍ବୁକ ଜବତ

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଜି ସକାଳୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳସ୍ଥିତ ଘରକୁ ଯାଇ ବ୍ୟାଙ୍କ ପାସବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହାସହିତ ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ପଚରାଉଚରା କରିଛନ୍ତି।

ସେହିପରି କ୍ରାଇମ୍‌ବ୍ରାଞ୍ଚର ଏକ ଟିମ ଆଜି ବ୍ରହ୍ମପୁର ବସ୍‌ଷ୍ଟାଣ୍ଡକୁ ମଧ୍ୟ ଯାଇଥିଲେ। ବ୍ରହ୍ମପୁରରୁ ଝାରସୁଗୁଡ଼ା ଚଳାଚଳ କରୁଥିବା ବସ୍‌ରେ କାର୍ଯ୍ୟରତ ଡ୍ରାଇଭର ଓ ହେଲ୍‌ପରଙ୍କୁ ପଚରାଉଚରା କରିଥିଲେ। ସେମାନେ ଗୋପାଳ ସଂପର୍କରେ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି। ଶେଷରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳର ଘରୁ ଜବତ ହୋଇଥିବା ପାସ୍‌ବୁକ ଆଧାରରେ ଏମ୍‌କେସିଜି ପରିସରରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ରିମାଣ୍ଡ ଅବଧି ଆଜି ଶେଷହେବ। କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କ୍ରାଇମବ୍ରାଞ୍ଚ ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି। ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି।

Related Posts