ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ଏସ୍‌ଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଏସ୍‌ଡିପିଓ ମାଡ଼ ମାରିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ବିଧାନସଭାରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଜଣେ ଆଇଜି ଏହି ଘଟଣାର ତଦନ୍ତ କରିବେ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମାଲକାନଗିରି RSC୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନନେଇ ଗାଁ ରେ ପସି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ନାବାଳିକାଙ୍କୁ SDPO ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇନାହାନ୍ତି। ଡ଼ାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ତାରା । ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁ ଦେବାକୁ କଂଗ୍ରେସ ଦାବି କରିଥିଲା । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ନରସିଂହ ମିଶ୍ର। ବାଚସ୍ପତିଙ୍କ ରୁଲିଙ୍ଗ ଦାବିରେ କଂଗ୍ରେସ ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲା ।ଏହି ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣା ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଥିଲା। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମାତ୍ର ଏଥିରେ ମଧ୍ୟ ସମାଧାନ ହୋଇପାରିନଥିଲା। ପରେ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ତେବେ ଅପରାହ୍ନ ୪ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିଧାନସଭା ରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ବିବୃତି ରଖିଥିଲେ।

Related Posts