ବାପ-ପୁଅ ମିଳନର ସେତୁ ଆଧାରକାର୍ଡ

ଅଢେଇ ବର୍ଷ ପରେ ମାଆ-ବାପାଙ୍କୁ ଫେରି ପାଇଲା ଦିବ୍ୟାଙ୍ଗ ବାଳକ

(ସତ୍ୟପାଠ ବ୍ୟୁରୋ) ଝାରସୁଗୁଡ଼ା: ପାଟି ଖୋଲୁନି, କଥା ବି ହେଉନି ହେଲେ ତାର କୋହ ଭରା ଆଖି ବଖାଣୁଛି ଅଢେଇ ବର୍ଷର ବେଦନା । କୋମଳ ବୟସରେ ନିଜ ମାଆ-ବାପାଙ୍କଠାରୁ ଦୂରେଇ ରହିବାର କଷ୍ଟ କିଭଳି ଥିଲା ତାହା ବୟାନ କରୁଛି । ହଁ ସେ ମୁକ ବଧିର ହୋଇପାରେ ହେଲେ ବାପାଙ୍କ ଆକଟ ଆଉ ମାଆର ମମତାରୁ ବଞ୍ଚିତ ରହିଥିବା କହୁଛି ତାର ଟପ୍‌ ଟପ୍ ହୋଇ ଝରିପଡ଼ୁଥିବା ଲୁହ ବୁନ୍ଦା । ଆଉ ଏହି ମୁହୂର୍ତ୍ତକୁ ଯିଏ କେହି ବି ଦେଖିବ ତାର ଆଖିରୁ ଆସିଯିବ ଖୁସି ଭରା ମୁହୂର୍ତ୍ତର ଲୁହ । ହଁ ଆମେ କହୁଛୁ ଅଢେଇ ବର୍ଷ ତଳେ ରାୟପୁରରୁ ନିଖୋଜ ହୋଇଥିବା 14 ବର୍ଷର ମୁକ ବଧିର ବାଳକ ରୋହନ ସୋନାର କଥା । ଯାହାକୁ ଝାରସୁଗୁଡାରୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଗତକାଲି ପରିବାରକୁ ହସ୍ତାନ୍ତର କରିଛି । ଅଢେଇ ବର୍ଷ ପରେ ବାପା ଓ ପୁଅର ମିଳନ ଦୃଶ୍ୟକୁ ଦେଖି ଲାଗୁଥିଲା ଯେମିତି ଏହା ରୂପେଲି ପରଦାର ‘ବଜାରଙ୍ଗୀ ଭାଇଜନ’ର ଅସଲ କାହାଣୀ ।

ନାଁ ରୋହନ ସୋନା, ବୟସ ପାଖାପାଖି 14 ବର୍ଷ, କଥା କହି ପାରୁ ନଥିଲା କି ଶୁଣି ବି ପାରୁ ନଥିଲା । 2017 ମସିହା ଜୁଲାଇ 17 ତାରିଖରେ ଝାରସୁଗୁଡା ରେଳଷ୍ଟେସନରେ ବୁଲୁଥିବା ବେଳେ ତାର ଅବସ୍ଥା ଦେଖି ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣି ଚାଇଲ୍ଡ ଲାଇନ ତାକୁ ଉଦ୍ଧାର କରିଥିଲା । ସେହି ଦିନଠାରୁ ଶିଶୁ ମଙ୍ଗଳ ସମିତି ନିର୍ଦ୍ଦେଶ କ୍ରମେ ଚାଇଲ୍ଡ ଲାଇନ ନିଜ ହେପାଜତରେ ରୋହନକୁ ବୃନ୍ଦାମାଲରେ ଥିବା ମୁକ ବଧିରଙ୍କ ପାଇଁ ରହିଥିବା ସ୍କୁଲରେ ରଖାଇଥିଲା । ପିଲାଟି ପାଠ ପଢି ନଥିବାରୁ ମୁକ ବଧିରଙ୍କ ସାଇନ୍ ଲାଙ୍ଗୁଏଜ ମଧ୍ୟ ଜାଣି ନଥିଲା । ତେଣୁ ତାର ପରିଚୟ ଜାଣିବା ମଧ୍ୟ ସ୍କୁଲ କତୃପକ୍ଷ କିମ୍ବା ଚାଇଲ୍ଡ ଲାଇନକୁ କଷ୍ଟକର ହୋଇଥିଲା । କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଆଧାର କାର୍ଡକୁ ବାଧ୍ୟତାମୁଳକ କହିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୮ରେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିଥିଲେ ହେଁ ଏହା ପ୍ରସ୍ତୁତ ହୋଇ ପାରିନଥିଲା। ରୋହନର ଆଧାରକାର୍ଡ ପ୍ରସ୍ତୁତ କରିବାକୁ ଆବେଦନ କରାଯିବା ପରେ ତାର ଟିପ ଚିହ୍ନକୁ ଆଧାର ସଫ୍ଟୱେର୍ ଗ୍ରହଣ କଲାନି । ସେଥିରୁ ଜଣାପଡିଲା ଯେ ରୋହନର ଅନ୍ୟ କୌଣସି ସ୍ଥାନରେ ଆଧାର କାର୍ଡ ଥାଇପାରେ । ଏହାକୁ ନେଇ ସ୍କୁଲ କତ୍ତୃପକ୍ଷ ଆଧାର କାର୍ଡର ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦ ସହ ଯୋଗାଯୋଗ କରି ପିଲାଟିର ଠିକଣା ଜାଣିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏଭଳି ସମ୍ବେଦନଶୀଳ ଓ ଗୋପନୀୟ ତଥ୍ୟ କାହାରିକୁ ଦିଆଯିବନି କହି ପ୍ରଥମେ ସହଯୋଗ କଲେନି ଅଧିକାରୀ । ପରେ ଜିଲ୍ଲା ପ୍ରଶାସନଓ ଶିଶୁ ମଙ୍ଗଳ ସମିତି ପକ୍ଷରୁ ହସ୍ତକ୍ଷେପ ପରେ ରୋହନଙ୍କ ଫିଙ୍ଗର ପ୍ରିଣ୍ଟ ଯୋଗେ ସେ ରାୟପୁରର ରାଜାରାମଙ୍କ ପୁଅ ଓ ତାଙ୍କ ଠିକଣା ଆଧାରକାର୍ଡ ମୁଖ୍ୟ କାର୍ଯ୍ୟଳୟରୁ ଜଣା ପଡିଥିଲା । ରୋହନଙ୍କ ଠିକଣା ମିଳିବା ପରେ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ ପକ୍ଷରୁ ଛତିଶଗଡ ରାଜ୍ୟର ରାୟପୁର ସିଡବ୍ଲୁସି ସହ ଯୋଗାଯୋଗ କରାଯାଇ ପିଲାଟିର ପରିବାରକୁ ଠାବ କରାଯାଇଥିଲା । ରୋହନ ବିଷୟରେ ଖବର ପାଇବାପରେ ତାଙ୍କ ବାପା ଓ ମାମୁଙ୍କ ସହ ସେଠାକାର ପୋଲିସ ଝାରସୁଗୁଡା ଆସି ରୋହନକୁ ନିଜ ଘରକୁ ଫେରାଇ ନେଇଛନ୍ତି ।

2017 ମସିହା ଜୁଲାଇ ମାସର କଥା । ସବୁଦିନ ପରି ରୋହନ ନିଜ ସାଙ୍ଗ ସହ ଖେଳୁଥିବା ବେଳେ ବାଟ ଭୁଲି ରେଳବାଇ ଷ୍ଟେସନରେ ପହଞ୍ଚି କୌଣସି ଏକ ଟ୍ରେନରେ ଝାରସୁଗୁଡା ଆସିଥିଲା । ସେ ଜାଣି ନଥିଲା ତାର ଗନ୍ତବ୍ୟସ୍ଥଳ ।|ଘରକୁ ପୁଅ ନଫେରିବାରୁ ପରିବାର ଓ ବନ୍ଧୁ ବାନ୍ଧବ ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେ । କିନ୍ତୁ ଦୁଃଖରେ ଥିଲେ ମଧ୍ୟ କେବେ ନିରାଶ ହୋଇ ନଥିଲେ । ଛତିଶଗଡ଼ ରାୟପୁର ଖମାତରାଇ ବାସିନ୍ଦା ରାଜାରାମ ସୋନାଙ୍କ ପୁଅ ରୋହନ ସୋନା । ସେ ୩ ବର୍ଷ ପୂର୍ବେ ନିଖୋଜ ହୋଇଯାଇ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିଲେ। ସେବେଠାରୁ ଚାଇଲ୍ଡ ଲାଇନ ତାଙ୍କ ପରିବାର ଠିକଣା ଖୋଜିବା ଆରମ୍ଭ କରିଥିଲା। ବହୁ ପ୍ରୟାସ ପରେ ଦୀର୍ଘ ୩ ବର୍ଷ ପରେ ତାଙ୍କ ଘର ଠିକଣା ପାଇ ପରିବାରକୁ ହସ୍ତାନ୍ତର କରିଥିଲେ। ପରିବାର ଲୋକେ ପୁଅକୁ ୩ ବର୍ଷ ପରେ ଫେରିପାଇ ଚାଇଲ୍ଡ ଲାଇନକୁ ଧନ୍ୟବାଦ ଜଣାଇଛନ୍ତି । ୩ ବର୍ଷ ପରେ ଆଜି ଦିବ୍ୟାଙ୍ଗ ଜଣଙ୍କ ଆଖି ସାମ୍ନାରେ ନିଜ ବାପା ଓ ମାମୁଙ୍କୁ ପାଇ ଖୁସିରେ କାନ୍ଦି ପକାଇବା ସହ ସେଠାରେ ନିଜ ବାପାକୁ ଅନେକ କିଛି କହୁଥିବା ଦେଖିବାକୁ ମିଳିଥିଲା । ବାପ ପୁଅର ମିଳନ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା । ଆଜି ଯେତେବେଳେ ବାପା ଓ ପୁଅ ମଧ୍ୟରେ ଦେଖା ସାକ୍ଷାତ ହେଲା ଏକ ଭାବ ପ୍ରବଣତାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବାପ-ପୁଅ ସହ ମାମୁ ଓ ଅନ୍ୟ ସମ୍ଫର୍କୀୟମାନେ କାନ୍ଦି ପକାଇଥିଲେ । ଯଦିଓ ତାହା ଖୁସୀର ଲୁହ ଥିଲା ତଥାପି ବାତ୍ସଲ୍ୟମମତା ଭରା ସ୍ନେହର ସହ ନିଜ ହାତରେ ପୁଅ ଆଖିର ଲୁହକୁ ପୋଛିଦେଇ ଖୁସିରେ ଗଦ୍ ଗଦ୍ ହୋଇଯାଇଥିଲେ ବାପା । ଯାହା ବି ହେଉ ଆଧାରକାର୍ଡ ଯୋଗୁଁ ପୁଅର ଠିକଣା ବାପା ଓ ସଂପର୍କୀୟ ପାଇ ଖୁସୀ ଆଣିଦେଇଛି ।
Related Posts