ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକାଶ ଓ ଦାବିର ଡିଣ୍ଡିମ ପିଟୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ସରକାରୀ ବ୍ୟବସ୍ଥା ଉପରେ ଏକ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ସାଧାରଣ ଶବବାହକ ଗାଡ଼ିଟିଏ ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ବୋହି ଘରକୁ ନେବାକୁ ପଡ଼ିଛି। ଏହି ଦୃଶ୍ୟ କେବଳ ଜଣେ ଗରିବ ପରିବାରର ଅସହାୟତାକୁ ନୁହେଁ, ବରଂ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନର ଚରମ ଅବହେଳାକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରକୃତ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା ମୃତ୍ୟୁ ପରେ। ମୃତଦେହକୁ ଗ୍ରାମକୁ ଫେରାଇ ନେବା ପାଇଁ ହସ୍ପିଟାଲ ପକ୍ଷରୁ କୌଣସି ଶବବାହକ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନଥିଲା। ଅସହାୟ ସ୍ୱାମୀ ନରେଶ ବହୁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ଜଣେ ପଡ଼ୋଶୀଙ୍କ ବାଇକ୍‌ ସାହାଯ୍ୟରେ ପତ୍ନୀଙ୍କ ଶବକୁ କପଡ଼ାରେ ବାନ୍ଧି ଗ୍ରାମକୁ ଫେରିଥିଲେ।
ନରେଶଙ୍କ କହିବା କଥା, “ମୋତେ ହସ୍ପିଟାଲରୁ କୌଣସି ଆମ୍ବୁଲାନ୍ସ କିମ୍ବା ଗାଡ଼ି ମିଳିଲାନି। ବାଧ୍ୟ ହୋଇ ମୁଁ ମୋ ପତ୍ନୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ ନେଉଛି।”

• ଦାନ ମାଝୀ ଘଟଣାର ପୁନରାବୃତ୍ତି: ତୀବ୍ର ଅସନ୍ତୋଷ

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ସମାଜସେବୀ ଓ ଆକ୍ଟିଭିଷ୍ଟମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସରକାର ଓ ପ୍ରଶାସନକୁ ଘେରିଛନ୍ତି।

• ଏହା ଦାନ ମାଝୀ କାହାଣୀର ପୁନରାବୃତ୍ତି: ଅଶୋକ ମାଝୀ
ସ୍ଥାନୀୟ ସମାଜସେବୀ ଅଶୋକ କୁମାର ମାଝୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ ଘଟଣା। କୋଟି କୋଟି ଟଙ୍କାର ରାଜସ୍ୱ ଦେଉଥିବା ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଏଭଳି ଦୃଶ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସଲ ଚେହେରାକୁ ଦେଖାଉଛି। ଏଥିପାଇଁ ବିଧାୟକ, ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ CDMO ସମସ୍ତେ ଦାୟୀ।

• ଶିଳ୍ପାଞ୍ଚଳ ଦାବି ଭିତରେ ମୌଳିକ ସେବା ଶୂନ: ସଞ୍ଜୁଲତା ନାଏକ

ଆଦିବାସୀ ଆକ୍ଟିଭିଷ୍ଟ ସଞ୍ଜୁଲତା ନାଏକ ଅଭିଯୋଗ କରିଛନ୍ତି ଯେ, ଏହା ଏକ ଆଇଟିଡିଏ ବ୍ଲକ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ବଡ଼ ବଡ଼ ଶିଳ୍ପ କାରଖାନା ଥିବା ବେଳେ ମୌଳିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ଗାଡ଼ିଟିଏ ନାହିଁ। ତୁରନ୍ତ ଏଠାରେ ସ୍ଥାୟୀ ଭାବେ ୪ ରୁ ୫ଟି ଶବବାହକ ଗାଡ଼ିର ବ୍ୟବସ୍ଥା କରାଯାଉ।

• ସଫେଇ ଦେଲେ CDMO, ହେବ ତଦନ୍ତ

ଅନ୍ୟପକ୍ଷରେ, ଝାରସୁଗୁଡ଼ା CDMO ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ ଏହି ଘଟଣାରେ ପ୍ରଶାସନିକ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ରୋଗୀଙ୍କୁ ସନ୍ଧ୍ୟା ପ୍ରାୟ ୫ଟାରେ ମେଡିକାଲ ଅଣାଯାଇଥିଲା ଏବଂ ସାଢ଼େ ୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁଯାୟୀ ଏହାର ପୋଲିସ ରିପୋର୍ଟ ଓ ପୋଷ୍ଟମର୍ଟମ ହେବା କଥା, କିନ୍ତୁ ସେହି ସମୟରେ କାର୍ଯ୍ୟରତ ଡାକ୍ତର ପୋଲିସକୁ ସୂଚନା ଦେବାରେ ବିଳମ୍ବ କରିଥିଲେ। ଏହି ସମୟରେ ମୃତକଙ୍କ ସମ୍ପର୍କୀୟମାନେ ପୋଷ୍ଟମର୍ଟମ ପାଇଁ ମନା କରି ଏକ ଅଣ୍ଡରଟେକିଂ ଲେଖିଦେଇ ନିଜ ବ୍ୟବସ୍ଥାରେ ଶବ ନେଇ ଚାଲିଯାଇଥିଲେ।
CDMO ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମୁନ୍ଦ୍ରାଜୋର ହସ୍ପିଟାଲରେ ଶବବାହକ ଗାଡ଼ି ନାହିଁ। ସେମାନେ ଅନ୍ୟ ସ୍ଥାନରୁ ଗାଡ଼ିର ବ୍ୟବସ୍ଥା କରୁଥିବା ବେଳେ ଗାଡ଼ି ପହଞ୍ଚିବା ପୂର୍ବରୁ ଲୋକମାନେ ଶବକୁ ନେଇ ପଳାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମୃତକଙ୍କ ଘରକୁ ଯାଇ ଅଧିକ ତଦନ୍ତ କରାଯିବ ଏବଂ ଯଦି ଡାକ୍ତରଙ୍କର କୌଣସି ଅବହେଳା ଥାଏ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।