ଆଉ ସହି ହେଉନି; ଆମକୁ ଉଦ୍ଧାର କର….

କଳାହାଣ୍ଡି:  ଅତୀତରେ କେ.ବି.କେ ଅଞ୍ଚଳ ଥିଲା କ୍ଷୁଧାର ସହର । ଲୋକେ କାମ ଧନ୍ଦା ଅଭାବରୁ ଭୋକ ଉପାସରେ ଅନାହାର ଜନିତ ମୃତ୍ୟୁର ଶିକାର ହେଉଥିଲେ। ଭୋକ ବିକଳରେ କିଏ ନିଜ ଶିଶୁ ସନ୍ତାନକୁ ତ କିଏ ନିଜ ନଣନ୍ଦକୁ ପର ହାତରେ ଟେକି ଦେଇଥିବାର ନଜିର ରହିଛି। ଏବେ ସେହି ଦୁର୍ନାମ ସହ ଅନ୍ୟ ଏକ ଦୁର୍ନାମ ଯୋଡି ହୋଇଯାଇଛି। ବର୍ତ୍ତମାନ ଏହି ଅଞ୍ଚଳ ସବୁ ମାନବ ଚାଲାଣର ଇଲାକାରେ ପରିଣତ ହୋଇଛି।

ଦାଦନର ଇଲାକା ଭାବେ ନିଜର ଏକ ପରିଚୟ ସୃଷ୍ଟି କରୁଛି। ଦଲାଲ ମଧ୍ୟ ସକ୍ରିୟ। କିନ୍ତୁ କେହି ଏହାର ସ୍ଥାୟୀ ସମାଧାନ ପାଇଁ ନେଇ ପାରି ନାହାଁନ୍ତି ପଦକ୍ଷେପ। ଯାହାରି ଫଳରେ କେହି ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତ ଗୋଡ କାଟି ହେଇ ଦରମରା ଅବସ୍ଥାରେ ଫେରୁଛି ତ କିଏ ଶବ ହେଇ ଫେରୁଛି। ପୁଣି କିଏ ନିଜ ଝିଅ ପତ୍ନୀଙ୍କୁ ପରହାତରେ ବନ୍ଧକ ଦେଇ ଫେରୁଛି। ପୁଣି କିଏ ସବୁ ଦିନ ପାଇଁ ନିଖୋଜ ହେଇଯାଉଛି। ବରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର ଓ କୋରାପୁଟ ପ୍ରମୁଖ ୪ ଜିଲାର ୧୩ ନାବାଳକ, ୧୬ ମହିଳାଙ୍କ ସମେତ ୫୨ ଜଣ ଶ୍ରମିକ ତେଲେଙ୍ଗାନା ରାଜ୍ୟର ପୈଦାପାଲିର ଏକ ଇଟା ଭାଟିରେ ନିର୍ୟ୍ୟାତିତ ହେଉଥିବା ସୁଚନା ମିଳିଛି। ଏପରିକି ଭୋକ ଉପାସରେ ସକାଳ ୫ଟାରୁ ରାତି ୮ଟା ଯାଏ କାମରେ ନିୟୋଜିତ କରିବାସହ ମାଡ ଗାଳି ଦେଉଥିବା ଶ୍ରମିକଙ୍କ ତରଫରୁ ପ୍ରକାଶ। ମାଡ, ଗାଳି ଅସହ୍ୟ ହେଉଥିବାରୁ ସେମାନଙ୍କୁ ସେଠାରୁ ମୁକ୍ତ କରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ତେଲେଙ୍ଗାନାରୁ ଫୋନ ଯୋଗେ କଥା ହୋଇଛନ୍ତି ଦାଦନ ଶ୍ରମିକ, ଶୁଣନ୍ତୁ କଣ କହିଛନ୍ତି…

ଜନୈକ ଦଲାଲର ପ୍ରଲୋଭନର ଶିକାର ହେଇ ବଲାଙ୍ଗିର ଜିଲା ସଦର ଥାନା ଅଧିନସ୍ତ ବାରପୁଡଗିଆ କୋଲୋନୀର ଅତେଶ୍ୱର କତୁଆଲ, କୁମୁଦିନୀ କତୁଆଲ, ପିତବାସ କତୁଆଲ, ପୁର୍ଣ୍ଣ ଚନ୍ଦ୍ର ଭୁଏ, କିଶୋରୀ ଭୁଏ, ତପନ ବରିହା, କାହ୍ନା ବୁଡେକନବିନ ଭୁଏ ପ୍ରମୁଖଙ୍କ ୨୭ଜଣ ଶ୍ରମିକ ସମେତ ଟିଟିଲାଗଡ ଜାକି ହୁସେନଙ୍କ ପରିବାରର ୪ ଜଣ, ବରଗଡ ଜିଲା ଡୁମାଲପାଲି ସମରଥରାର ମନୁପୋଢ, ବିଜୟ ବରିହା, ଆନନ୍ଦ ଯାଦବଙ୍କ ସମେତ ୬ ଜଣ, ସୁବର୍ଣ୍ଣପୁର ଡୁଙ୍ଗରୀପାଲି ଥାନା ଅଧିନସ୍ଥ ତାମାମୁରା ଗଧାପାଲିର ରସିକ ଦଳେଇ, ବିକାଶ ବଢେଇ, ରାଧାକାନ୍ତ ବଢିଆ ପ୍ରମୁଖ ୧୦ ଜଣ ଓ କୋରାପୁଟ ଜିଲା ମଝିଗୁଡା ପଞ୍ଚାୟତ ଅଧିନସ୍ଥ ଟିଟିଲ୍ଲିପଡାର ଡମ୍ବରୁ ଜାନୀ, ରାଜନୀ ଜାନୀ, ତ୍ରିଲୋଚନ ଜାନୀ ଓ ବାସନ୍ତି ଜାନୀ ପ୍ରମୁଖ ୪ ଜଣ ଶ୍ରମିକ କାମ କରିବା ପାଇଁ ତେଲେଙ୍ଗାନା ଜିଲା ସିକନ୍ଦରାବଦ ଅଞ୍ଚଳକୁ ଯାଇଥିଲେ।

ସେଠାରୁ ଦଲାଲ ଜଣକ ପୈଦାପାଲି ସହର ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏକ ଇଟା ଭାଟିରେ ଏମାନଙ୍କୁ ଛାଡି ଦେଇଥିଲା।

ଦଲାଲ ଜଣକ କାର୍ୟ୍ୟସ୍ଥଳରୁ ଫେରିବା ପରେ ଶ୍ରମିକଙ୍କ ନିର୍ୟ୍ୟାତନା ଆରମ୍ଭ ହେଇଯାଇଛି। ସେମାନଙ୍କ ମାଡ ଗାଳି ଯୋଗୁଁ ପ୍ରତିବାଦ କରିବାକୁ ମଧ୍ୟ ସାହସ ଜୁଟାଇ ପାରୁ ନାହାଁନ୍ତି। ଖାଇବା ପାଇଁ ମଧ୍ୟ ସଠିକ ଭାବେ ଦେଉନଥିବା ଆମ ପ୍ରତିନିଧିଙ୍କୁ ଫୋନ ଯୋଗେ ନିର୍ୟ୍ୟାତିତ ଶ୍ରମିକ ସୁଚନା ଦେଇଛନ୍ତି। ଏପରିକି ଶ୍ରମିକଙ୍କୁ ପାରିଶ୍ରମିକ ମଧ୍ୟ ଦେଉନଥିବା ବେଳେ ଏକ ପ୍ରକାର ନଜର ବନ୍ଦୀ କରି ରଖାଯାଇଛି। ଅସହାୟ ହେଇ ଏମାନେ କେବଳ କାମ କରୁଛନ୍ତି।

କେବଳ ଶ୍ରମିକ ନୁହେଁ ସେମାନଙ୍କ ସହିତ ଥିବା ନାଁ ବାଳକ ଶିଶୁ ମାନେ ମଧ୍ୟ ନିର୍ୟ୍ୟାତିତ ହେଉଥିବା ସୁଚନା ଦେବା ସହ ସେମାନଙ୍କୁ ତୁରନ୍ତ ସେଠାରୁ ମୁକ୍ତ କରିବା ନେଇ ଆକୁଳ ନିବେଦନ କରିଛନ୍ତି। ଏପରିକି ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା କହିଛନ୍ତି। ତେଣୁ ରାଜ୍ୟ ଶ୍ରମ ବିଭାଗ ଏଥି ପ୍ରତି ଗୁରୁତ୍ୱ ଦେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି।

Related Posts