ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁରୁବାରଠାରୁ ଆରମ୍ଭ ହେବ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗତଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ପୁଣି ଥରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଅପରାହ୍ନ ୨ଟାରୁ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ଅହମଦାବାଦରେ ସବୁ ଦଳର ଅଧିନାୟକଙ୍କୁ ଏକାଠି (କ୍ୟାପ୍‌ଟେନ୍ସ ମିଟ୍‌) କରାଯାଇଥିଲା। ଆୟୋଜକ ଭାରତ ଆସନ୍ତା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରୁ ଚେନ୍ନାଇରେ ଅଭିଯାନ ଆରମ୍ଭ କରିବ।

ଗତ ୪୮ ବର୍ଷର ବିଶ୍ବକପ୍‌ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏକକ ଆୟୋଜକ ହୋଇଛି। ଏଥିପୂର୍ବରୁ ୧୯୮୭, ୧୯୯୬ ଓ ୨୦୧୧ରେ ପଡ଼ୋଶୀ ଦେଶମାନଙ୍କୁ ନେଇ ମିଳିତ ଭାବେ ଭାରତ ବିଶ୍ବକପ୍‌ ଆୟୋଜନ କରିଥିଲା। ଚଳିତ ସଂସ୍କରଣରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନେଦରଲାଣ୍ଡ୍ସ ଓ ଆଫଗାନିସ୍ତାନ ଅଂଶଗ୍ରହଣ କରୁଛନ୍ତି। ରାଉଣ୍ଡ ରବିନ ପଦ୍ଧତିରେ ଲିଗ୍‌ ପର୍ଯ୍ୟାୟ ଖେଳାଯିବ। ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୪୫ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ନଭେମ୍ବର ୧୫ ତାରିଖରେ ମୁମ୍ବାଇରେ ପ୍ରଥମ ସେମିଫାଇନାଲ୍‌ ଓ ୧୬ ତାରିଖରେ କୋଲକାତାରେ ଦ୍ବିତୀୟ ସେମିଫାଇନାଲ୍‌ ଅନୁଷ୍ଠିତ ହେବ। ନଭେମ୍ବର ୧୯ ତାରିଖରେ ଅହମଦାବାଦରେ ଫାଇନାଲ୍‌ ଖେଳାଯିବ। ଏହି ତିନି ସ୍ଥାନ ସହିତ ବେଙ୍ଗାଲୁରୁ, ଚେନ୍ନାଇ, ନୂଆଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେରେ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

ତେବେ ୧୯୮୩ ମସିହାରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚାମ୍ପିଅନ୍ ହେବା ଦିନଠାରୁ ଦିନିକିଆ ବିଶ୍ବ କପ୍ କ୍ରିକେଟ୍‌ ସହ କୋଟିକୋଟି ଭାରତୀୟଙ୍କର ଆତ୍ମିକ ସମ୍ପର୍କ ରହିଆସିଛି। ଗତ ୪୦ ବର୍ଷର ପ୍ରଥମାର୍ଦ୍ଧରେ ଟେଷ୍ଟ କ୍ରିକେଟ୍‌ ଅପେକ୍ଷା ଦିନିକିଆ କ୍ରିକେଟକୁ ନେଇ ଦେଶବାସୀଙ୍କର ଆବେଗ ବଢ଼ିଚାଲିଥିଲା। ତେବେ ଶେଷାର୍ଦ୍ଧରେ ଟ୍ବେଣ୍ଟି-୨୦ ବିଶେଷ କରି ଆଇପିଏଲ୍ ଦର୍ଶକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି। ତେଣୁ ୧୯୮୭ରୁ ୨୦୧୧ ମଧ୍ୟରେ ଆୟୋଜିତ ବିଶ୍ବ କପ୍ ଗୁଡ଼ିକ ତୁଳନାରେ ଦେଶରେ ପରବର୍ତ୍ତୀ କାଳର ଦିନିକିଆ ବିଶ୍ବ କପ୍‌ରେ ଉଦ୍ଦୀପନା କମିଥିଲା। ତେବେ ଭାରତ ପାଇଁ ଏ ଥରର ଦିନିକିଆ ବିଶ୍ବ କପ୍ କିଛିଟା ନିଆରା। ବିଶ୍ବ କ୍ରିକେଟ୍‌ ଏବେ ଟିମ୍ ଇଣ୍ଡିଆକୁ ସମସ୍ବରରେ ଫେବରିଟ୍ କହୁଥିବାରୁ ଆଜିଠାରୁ ଆରମ୍ଭ ହେଉଥିବା ତ୍ରୟୋଦଶ ସଂସ୍କରଣକୁ ନେଇ ଦେଶରେ କ୍ରିକେଟ୍‌ ବାତାବରଣ ଅନୁଭୂତ ହେବାର ଅନୁମାନ କରାଯାଏ।

ଏହି ଦିନିକିଆ ବିଶ୍ବକପ୍‌ର ବିଜେତାକୁ ୪ ମିଲିଅନ୍‌ ଡଲାର (ପାଖାପାଖି ୩୩ କୋଟି ଟଙ୍କା) ଅର୍ଥ ପୁରସ୍କାର ମିଳିବ। ସେହିପରି ଉପବିଜେତାଙ୍କୁ ୨ ମିଲିଅନ୍‌ ଡଲାର (ପାଖାପାଖି ୧୭ କୋଟି ଟଙ୍କା) ପୁରସ୍କାର ଦିଆଯିବ ବୋଲି ଆଇସିସି ପୂର୍ବରୁ ଘୋଷଣା କରିଛି। ମୋଟ ପୁରସ୍କାର ରାଶି ୧୦ ମିଲିଅନ୍‌ ଡଲାର ରଖାଯାଇଛି। ସେମିଫାଇନାଲ୍‌ରେ ପରାଜିତ ଦଳକୁ ୮ଲକ୍ଷ ଡଲାର ଲେଖାଏଁ ପ୍ରଦାନ କରାଯିବ। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍‌ର ବିଜେତାଙ୍କୁ ୪୦ ହଜାର ଡଲାର ପ୍ରଦାନ କରାଯିବ। ସେମିଫାଇନାଲ ପୂର୍ବରୁ ବାଦ୍‌ ପଡ଼ିଥିବା ଦଳଗୁଡିକୁ ୧ ଲକ୍ଷ ଡଲାର ଲେଖାଏଁ ରାଶି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।

ସେହିପରି ଚଳିତ ବିଶ୍ବକପ୍‌ ପାଇଁ ଦୁଇଟି ଭିନ୍ନ ଧରଣର ମାସ୍କଟ ପ୍ରସ୍ତୁତ କରାଯାଇଛି। ପୁରୁଷ ମାସ୍କଟର ନାମ ରଖାଯାଇଛି ‘ଟଙ୍କ୍‌’ ଓ ମହିଳା ମାସ୍କଟର ନାମ ରହିଛି ‘ବ୍ଲେଜ୍‌’। ଗୁରଗାଓଁରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଶେଫାଳି ବର୍ମା ଓ ୟଶ ଧୂଲ୍‌ଙ୍କ ଉପସ୍ଥିତିରେ ଏହି ଦୁଇ ମାସ୍କଟ୍‌କୁ ଉନ୍ମୋଚନ କରାଯାଇଥିଲା। ସେହିପରି ଆଇସିସି ପକ୍ଷରୁ ବିଶ୍ବକପ୍‌ ସଂଗୀତ ‘ଦିଲ୍‌ ଜସନ ଜସନ ବୋଲେ’ କୁ ଉନ୍ମୋଚନ କରାଯାଇଛି। ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ ଏହାକୁ ପ୍ରସ୍ତୁତ କରିଥିବା ବେଳେ ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ସହ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହି ସଂଗୀତ ଭିଡିଓରେ ସାମିଲ ହୋଇଥିଲେ।