ବିଜେପି ଛାଡିବେ ଦାମ ରାଉତ !

ସତ୍ୟପାଠ ବ୍ୟୁରୋ : ବହୁତ ହୋଇଗଲା । ଆଉ ଅପେକ୍ଷା କରିହେବନି କି ଅନୁତାପ ବି କରି ହେବନି । ଶେଷରେ ବିଜେପି ଛାଡିବାକୁ ନିଷ୍ପତି ନେଇଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଉଭୟ ଦଳର ବୈଷ୍ଣବ ଭକ୍ତି ପରେ ଦାମବାବୁ ଏହି ନିଷ୍ପତି ନେଇ ସାରିଥିବା ବେଳେ କେବଳ ଦିନ ଦେଖି ଦଳ ଛାଡିବେ ବୋଲି କୁହାଯାଉଛି । ଆସନ୍ତା ସପ୍ତାହରେ ସେ ଏନେଇ ଅଫିସିଆଲ ଘୋଷଣା କରିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଖବର ମିଳୁଛି ।

ନିର୍ବାଚନ ବେଳ ଠାରୁ ବିଜେପି ଉପରୁ ମୋହ ଛଡାଇ ସାରିଛନ୍ତି ଦାମବାବୁ । ସେ କାଳେ ସ୍ୱାଧିନରେ ଛିଡା ହୋଇଥିଲେ ବି ଜିତିଥାନ୍ତେ କେବଳ ବିଜେପିକୁ ଗଲେ ବୋଲି ଲୋକେ ଭୋଟ ଦେଲେନି । ଏମିତି ତାଙ୍କ ନିଜ ଲୋକ କୁଆଡେ ବୁଝାଇଥିଲେ ଦାମବାବୁଙ୍କୁ । ଆଉ ସେ ବି ବୁଝି ଯାଇଥିଲେ । କଥା ହେଉଛି, ନବୀନଙ୍କୁ ହରାଇବାକୁ ପଦ୍ମ ପୋଖରୀରେ ବୁଡ ପକାଇଥିଲେ ଦାମବାବୁ କିନ୍ତୁ ନମୋ-ନବୀନଙ୍କ ଭିତରେ ଯେଉଁ ମଧୁର ସମ୍ପର୍କ ଏ ନିର୍ବାଚନ ପରେ ତ ବଢ଼ି ଚାଲିଛି ପଛେ କମିବାର ନାଁ ନେଉନି । ଯାହାକୁ ନେଇ ଦାମବାବୁ ଦଳରେ ଏକଦମ୍ ଅଣନିଶ୍ୱାସୀ । ଯାହା ପାଇଁ ଏତେ ନାଟ, ଶେଷକୁ ତାରି ସହ ଦଳ ହାତ ମିଳାଇଲା । ତେଣୁ ସ୍ୱାଭିମାନୀ ଦାମ ରାଉତ ନିଜ ସ୍ୱାଭିମାନ ସହ ଆଉ ସାଲିସ କରିବା ମୁଡରେ ନାହାଁନ୍ତି ।

ଖାଲି ସେତିକି ନୁହେଁ, ଦଳରେ ନିଆଯାଉଥିବା ଅନେକ ବଡ ନିଷ୍ପତିରେ ଦାମ ବାବୁଙ୍କୁ କେହି ପଚାରୁ ନାହାଁନ୍ତି । ଉଭୟ ବୟସ ଓ ଅଭିଜ୍ଞତାରେ ବରିଷ୍ଠ ଦାମବାବୁଙ୍କୁ ବିଜେପି ଏତେ ଗୁରୁତ୍ୱ ଦେଉ ନଥିବା ଚର୍ଚ୍ଚା ହେଉଛି । ଏମିତିରେ ବିଜେପିରେ ମିଶିବା ଦିନ ଠାରୁ ଦାମବାବୁଙ୍କ ପରିବାରରେ ବି କୁଆଡେ ବାପ-ପୁଅରେ ପଡୁ ନାହିଁ । ପୁଅ ସମ୍ବିତ ଚାହୁଁଛନ୍ତି ବାପା ପୁଣି ଫେରି ଆସନ୍ତୁ ବିଜେଡିକୁ । ଅବଶ୍ୟ କିଛିଦିନ ପୂର୍ବରୁ ବିଜେଡିକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାମବାବୁ କିନ୍ତୁ ବିଜେପି ଛାଡିବେନି ବୋଲି କିଛି କହି ନାହାଁନ୍ତି । ସାପ ମରିବନି, ବାଡି ଭାଙ୍ଗିବନି ଭଳି କଥା କହିବା ଦାମଙ୍କ ଠାରୁ ଆଉ କିଏ ଭଲ ଜାଣେ ।

ବିଜେଡି ସହ ବିଜେପିର ନିବିଡତା ବଢ଼ୁିବା କୁ ସହ୍ୟ କରି ପାରୁ ନାହାଁନ୍ତି ଦାମ ବାବୁ । ଯେଉଁ ନବୀନକୁ ସିଏ ବିରୋଧ କରୁଛନ୍ତି ତାଙ୍କରି ଦଳର ଶୀର୍ଷ ନେତା ତାଙ୍କୁ ପାଖରେ ବସାଉଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ବିଜେଡିକୁ ବିଜେପି ସମର୍ଥନ ମାଗିବା ପରେ ଉଭୟ ଦଳ ଭିତରେ ନିବିଡତାକୁ ପଦାକୁ ଆଣିଥିଲା । ଯାହା ଦାମଙ୍କୁ ଗଭୀର ମାନସିକ ଆଘାତ ଦେଇଛି ବୋଲି ତାଙ୍କ ନିକଟତମ ମହଲରେ ଆଲୋଚନା ହେଉଛି ।

ଏଇ ନିକଟରେ ବିରୋଧୀ ଦଳ ନେତା ପଦ ଚୟନକୁ ନେଇ ନିଜ ଅସନ୍ତୋଷ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଦାମବାବୁ । ବିଜେପିର ଶୀର୍ଷ ନେତୃତ୍ୱ ଅମିତ ଶାହାଙ୍କ ନିଷ୍ପତିକୁ ବି ଡାକ୍ତର ରାଉତ ଚ୍ୟାଲେଂଜ କରିଥିଲେ । ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ପାଇଁ ଅଯୋଗ୍ୟ କହି ସେତେବେଳେ ସେ ନିଆଁରେ ଘିଅ ଢ଼ାଳି ଥିଲେ । ଖାଲି ଏଇ ଗୋଟିଏ ଘଟଣା ନୁହେଁ ବିଜେଡି ଛାଡି ବିଜେପିରେ ମିଶିବା ପରେ କିଛିଦିନ ତ ଦାମବାବୁ ନିଜ ଅମାନିଆ ତୁଣ୍ଡକୁ ବୁଝାଇଥିଲେ କିନ୍ତୁ ତା ପରେ ତୁଣ୍ଡରୁ ସେମିତି ଅମାନିଆ କଥା ବାହାରିଥିଲା ।

ତେଣୁ ପ୍ରତିଦିନ ମାନସିକ ଅଶାନ୍ତିରେ ରହିବା ଅପେକ୍ଷା ବିଜେପି ଛାଡିବା ଶ୍ରେୟସ୍କର ବୋଲି ଦାମବାବୁ ସ୍ଥିର କରିଥିବା କୁହାଯାଉଛି । ଏନେଇ ସେ କିଛି ନିଜ ଲୋକଙ୍କ ସହ ଆଲୋଚନା କରି ସାରିଛନ୍ତି । ତେଣୁ ଦାମବାବୁ ନିଜ ନିଷ୍ପତି ବାବଦରେ ଆସନ୍ତା ସପ୍ତାହରେ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି । ତେବେ ସେ ବିଜେପି ଛାଡିବା ପରେ ପୁଅ କଥାରେ ପୁରୁଣା ଦଳକୁ ଫେରିବେ ନା ଆଉ କେଉଁ ଦଳ ଆଡେ ମୁହାଁଇବେ ତାହା ଏବେଠୁ କହିବା କଷ୍ଟକର ।

Related Posts