ବହୁ ପ୍ରତିକ୍ଷୀତ ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ଡିସେମ୍ବର ୪ରେ ମତଦାନ, ୭ରେ ଆସିବ ଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ପ୍ରତିକ୍ଷୀତ ଦିଲ୍ଲୀ ଏମସିଡି ( ମହାନଗର ନିଗମ ) ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀ ନିର୍ବାଚନ ଆୟୋଗ ବିଜୟ ଦେବ ଆଜି ତାରିଖ ଘୋଷଣା କରି କହିଛନ୍ତି ଯେ, ୬୮ଟି ବିଧାନସଭା କ୍ଷେତ୍ରରେ ଏମସିଡିର ୨୫୦ ୱାର୍ଡ ପାଇଁ ନିର୍ବାଚନ ହେବ । ଏନେଇ ନଭେମ୍ୱର ୭ରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ୱର ୧୪ । ନଭେମ୍ୱର ୧୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ନଭେମ୍ୱର ୧୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଡିସେମ୍ୱର ୪ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଡିସେମ୍ୱର ୭ରେ ଫଳାଫଳ ଘୋଷଣା ହେବ ।

ଦିଲ୍ଲୀ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏଥି ମଧ୍ୟରୁ ୪୨ ଟି ଆସନ ଏସସି ପାଇଁ ସଂରକ୍ଷିତ ରଖାଯାଇଛି । ୨୧ ସିଟ୍ ଏସସି ସମୁଦାୟର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହାସହ ଅନ୍ୟ ୧୦୪ ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହିପରି ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି । ଏମସିଡି ନିର୍ବାଚନରେ ୧.୪ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ୨୧୩ ମତଦାତାଙ୍କ ବୟସ ୧୦୦ ବର୍ଷରୁ ଅଧିକ ରହିଛି । ୧୩ ହଜାର ୬୬୫ ପୋଲିଂ ଷ୍ଟେସନ କରାଯିବ।

ତାରିଖ ଘୋଷଣା ସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଉଡ୍ ସ୍ପିକରର ବ୍ୟବହାର ଉପରେ ରୋକ ଲଗାଯାଇଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ୫.୫୭ ଲକ୍ଷରୁ ବଢାଇ ୮ ଲକ୍ଷ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏବେ ଦିଲ୍ଲୀ ଏମସିଡି ଭାରତୀୟ ଜନତା ପାର୍ଟି ପାଖରେ ଥିବାବେଳେ। ରାଜ୍ୟରେ ଆମ ଆଦମୀ ପାର୍ଟିର ସରକାର ରହିଛି। ତେବେ ଦିଲ୍ଲୀ ଏମସିଡିର କାର୍ଯ୍ୟକାଳ ଅନେକ ଦିନରୁ ଶେଷ ହୋଇଥିଲେ ମଧ୍ୟ ଏଠାରେ ନିର୍ବାଚନ ସ୍ଥଗିତ ଥିଲା ଯେଉଁଥିପାଇଁ ବାରମ୍ବାର ଆପ ଓ ବିଜେପି ମୁହାଁମୁହିଁ ହୋଇଥିଲେ।

Related Posts