ଧାମନଗର ଉପନିର୍ବାଚନ: ଫଳାଫଳ ପୂର୍ବରୁ ପରାଜୟ ସ୍ବୀକାର କଲା କଂଗ୍ରେସ !

ଭୁବନେଶ୍ବର: ସରିଛି ବହୁ ଚର୍ଚ୍ଚିତ ଧାମନଗର ଉପନିର୍ବାଚନ। ଗତକାଲି ଭୋଟ ଗ୍ରହଣ ପକ୍ରିୟା ଶେଷ ହୋଇଥିବା ବେଳେ, ସେପଟେ ଫଳାଫଳ ପୂର୍ବରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ତିନି ନେତା ପ୍ରତିକ୍ରିୟା ରଖିଛନ୍ତି।

ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି। ସେ କହିଛନ୍ତି, ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ଅଧିକ ମହିଳା ଭୋଟ ଦେଇଛନ୍ତି, ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଯାଇଛି । ଲୋକମାନେ ଯେମିତି ପ୍ରତିଶ୍ରୁତି ଦେଇଥିଲେ ସେମିତି ଭୋଟ ଆସିଛି। ସ୍ଵାଧୀନ ପ୍ରାର୍ଥୀଙ୍କୁ କାହିଁକି ଲୋକ ଭୋଟ ଦେବେ। ରାଜୁ ଦାସ ଫ୍ୟାକ୍ଟର୍ କାମ ଦେଇନାହିଁ। କାରଣ ଲୋକେ ଜାଣନ୍ତି ସରକାରୀ ଦଳକୁ ଭୋଟ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ମିଳିବ।

ଏଣେ ଧାମନଗର ଉପନିର୍ବାଚନରେ ଜିତିବା ନିଶ୍ଚିତ ବୋଲି ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସବୁ ବ୍ଲକରେ ଦଳ ଭଲ କରିଛି। ବିଜେପି ଧାମନଗର ଜିତିବା ଶତ ପ୍ରତିଶତ ସମ୍ଭାବନା କରୁଛି। ବିଜେଡି ଔଷଧ ବିକଳରେ ତାଟିଆ କାମୁଡି ଗଣ୍ଡଗୋଳ କରୁଛି। ଗଣତନ୍ତ୍ର କୁ ହତ୍ୟା କରିବାକୁ ପ୍ରୟାସ କରିଛି ବିଜେଡି। ବିଜେଡିର ସବୁ ପ୍ରୟାସ ସତ୍ତ୍ବେ ବି ଭଲ ବ୍ୟବଧାନରେ ଜିତି ବିଜୟ ଟିକା ପିନ୍ଧିବ ବିଜେପି। ଲମ୍ବା ସମୟର କୁଶାସନକୁ ପ୍ରତ୍ୟାଖାନ କରିବେ ଲୋକେ। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ଗଣତନ୍ତ୍ରକୁ ହତ୍ୟା କରିବାକୁ ପ୍ରୟାସ କରିଛଇ ବିଜେଡି। ଲୋକେ କିପରି ଭୋଟ ନଦେବାକୁ ଯାଇପାରିବେ ସେଥିପାଇଁ ଭୟର ବାତାବରଣ ସୃଷ୍ଟି କରିଲା ବିଜେଡି। ତାହା ସତ୍ତ୍ବେ ବିଜେପି ଜିତିବା ସୁନିଶ୍ଚିତ।

ତେଣେ ଫଳାଫଳ ପୂର୍ବରୁ ହାର ମାନିଛି କଂଗ୍ରେସ। ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେଡି ଓ ବିଜେପିଙ୍କ ଟଙ୍କା ବଣ୍ଟା ଯୋଗୁଁ କଂଗ୍ରେସ ତୃତୀୟ ସ୍ଥାନରେ ରହିବ। ଏଠାରେ କଂଗ୍ରେସ ୨୫ ହଜାର ଭୋଟ ପାଇବ। ରାଜୁ ଦାସ ୫ ହଜାର ଭୋଟ ପାଇବେ ବୋଲି ସେ ଦାବି କରିଛନ୍ତି

Related Posts