ନିର୍ବାଚନର ପୂର୍ବ ରାତି; କାଳବୈଶାଖୀ ଠୁ ଟପିଗଲା ହିଂସାର ତାତି

ସତ୍ୟପାଠ ବ୍ୟୁରୋ : ରାତି ପାହିଲେ ନିର୍ବାଚନ । ଭୋଟ ପାଇଁ ସମସ୍ତଙ୍କ ଦୁଆରେ ନେତା । ଭୋଟ କେନ୍ଦ୍ର ପ୍ରସ୍ତୁତ, ଭୋଟ ଦେବା ପାଇଁ ଭୋଟର ବି ପ୍ରସ୍ତୁତ । ଆଶଙ୍କାରେ ପ୍ରାର୍ଥୀ କସରତରେ ଢ଼ିଲା ଦେଉ ନାହାଁନ୍ତି କର୍ମୀ । ହେଲେ ଗଲା ୨୪ଘଂଟା ଭିତରେ ସାରା ରାଜ୍ୟରେ ଏମିତି କିଛି ଘଟଣା ଘଟିଛି ଯାହା ଆଶା, ଆଶଙ୍କା ଭିତରେ ଅବାଧ ନିର୍ବାଚନକୁ ଘାଂଟି ଚକଟି ପକାଇଛି । କେଉଁଠି ପ୍ରାର୍ଥୀଙ୍କ ଉପରେ ବୋମା ଫିଙ୍ଗା ଗଲାଣି ତ କେଉଁଠି ପ୍ରାର୍ଥୀଙ୍କୁ ମାଡ ହେଲାଣି । ପୁଣି କେଉଁଠି ପ୍ରାର୍ଥୀ ପିଟିଲେଣି ଫ୍ଲାଇଂ ସ୍କ୍ୱାର୍ଡକୁ । ଏମିତି ବିଭିନ୍ନ ଘଟଣା ଉଭୟ ଭୋଟର ଓ ଭୋଟକୁ ପ୍ରଭାବିତ କରିଛି ଗତ ୨୪ଘଂଟା ଭିତରେ ।

ରବିବାର ସଂଧ୍ୟାରେ ଘସିପୁରା ନିର୍ବାଚନ ମଣ୍ଡଳୀର ଦାନ୍ତିଆ ଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି
ରାମଚନ୍ଦ୍ରପୁର ଫେରୁଥିବା ବେଳେ ନହଙ୍ଗି ଛକ ଠାରେ ତାଙ୍କୁ କିଛି ଯୁବକ ଅଟକାଇ ଆକ୍ରମଣ କରିଥିଲେ । ନିରଂଜନଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ଓ କିଛି କର୍ମୀ ଆକ୍ରମଣରେ ଆହତ ହେଲେ । ତେବେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ହିଁ ଏହି ଆକ୍ରମଣ ଘଟାଇଥିବା ନିରଂଜନ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ।

ଏହା ପରେ ପରେ ଭୁବନେଶ୍ୱରର ମଧ୍ୟ ଆସନର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରେ ବୋମାମାଡ କରାଯାଇଥିବା ନେଇ ଖବର ଆସିଲା । ଡେଲଟା କଲୋନି ନିକଟରେ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଯଦିଓ ଜଗନ୍ନାଥ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି କିନ୍ତୁ ତାଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହୋଇ ଯାଇଛି ।

ଏହି ଘଟଣାର ମାତ୍ର କିଛି ସମୟ ପରେ ଭୁବନେଶ୍ୱର ମଧ୍ୟ ଆସନର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରେ ବୋମାମାଡ ହୋଇଥିବା ନେଇ ବି ଖବର ଆସିଲା । ଝାରପଡା କେନାଲ ରୋଡରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅନନ୍ତ ଅଭିଯୋଗ କରିଛନ୍ତି । ଦୁଇଟି ବାଇକରେ କିଛି ଯୁବକ ତାଙ୍କ ଗାଡି ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଗାଡି ଉପରେ ବୋମା ପକାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତୀ କରାଯାଇଛି ।

ଏ ତ ଗଲା ରାତି ୧୦ଟା ଭିତରର ଆକ୍ରମଣ ଓ ହିଂସାର ଖବର । ତେବେ ବିଳମ୍ବିତ ରାତିରେ ପିପିଲିରେ ହିଂସାର ଖବର ଆସିଛି । ଅବଶ୍ୟ ଏଠାରେ ପ୍ରାର୍ଥୀଙ୍କ ଉପରେ ନୁହେଁ ବରଂ ପ୍ରାର୍ଥୀ ନିଜେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ମୂତାବକ, ପିପିଲି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ଭୋଜି ଚାଲିଥିବା ବେଳେ ସେଠାରେ ଟଙ୍କା ଓ ମଦ ବଂଟା ଯାଉଥିବା ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡର ଦୁଇଟି ଟିମ୍ ସେଠାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଫାର୍ମ ହାଉସରେ ଚଢ଼ାଉ କରିବାକୁ ପଂହଚିବା ପରେ ସେଠାରେ ମହାରଥୀ ଓ ତାଙ୍କ କର୍ମୀମାନେ ସ୍କ୍ୱାର୍ଡ ଉପରକୁ ଆକ୍ରମଣ କରିଥିବା ସ୍କ୍ୱାର୍ଡ ଲିଡର ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ଅଭିଯୋଗ କରିଛନ୍ତି ।

ତେବେ ଏ ତମାମ ଘଟଣାକୁ ନେଇ ତିନି ପ୍ରମୁଖ ଦଳର ନେତୃବୃନ୍ଦ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛନ୍ତି । ଜଣେ ଆଉ ଜଣକୁ ଦୋଷ ଦେଉଛି । ଏମିତି ହିଂସା ଦେଖି ଦେଖି ନିର୍ବାଚନ କେମିତି ପରିଚାଳନା ହେବ ତାହା ବି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ସାରିବଣି । କିନ୍ତୁ ସବୁଠୁ ବଡ କଥା ହେଲା, ଭୋଟର ସବୁବେଳେ ଚାଲାକ । ଉପରେ କିଛି କହି ପାରୁ ନଥିବା ଭୋଟର ଇଭିଏମରେ ଜବାବ ଦେଇ ପାରନ୍ତି । ତେଣୁ ଆମ ସ୍ମାର୍ଟ ଭୋଟର ଇଭିଏମ ମେସିନ ପାଖରେ ନିଶ୍ଚୟ ବୁଦ୍ଧି ଓ ବିବେକର ସଦୁପଯୋଗ କରିବେ ।

Related Posts