ନକ୍‌ ଆଉଟ୍‌ରୁ ଡେଥ୍‌ : ୧୮ ବର୍ଷୀୟା ଯୁବ ବକ୍ସର ଜାକାରିଆସ ଜାପାଟାଙ୍କ ଆକସ୍ମିକ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବୟସ ମାତ୍ର ୧୮ ବର୍ଷ। ଜଣେ ଯୁବ ମହିଳା ପ୍ରୋ ବକ୍ସର ହେଉଛନ୍ତି ଜେନେଟ ଜାକାରିଆସ ଜାପାଟା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୮ ବର୍ଷୀୟା ଜେନେଟ ଜାକାରିଆସ ଜାପାଟା ହେଉଛନ୍ତି ମେକ୍ସିକୋର । ଗତ ଶନିବାର ଦିନ ଜାପାଟା ମଣ୍ଟ୍ରିଆଲରେ ମାରିଏ ପିୟରଙ୍କ ସହ ୱେଲଟରୱେଟ୍‌ ବର୍ଗରେ ଫାଇଟ୍‌ କରିଥିଲେ । ଚତୁର୍ଥ ରାଉଣ୍ଡ ମ୍ୟାଚରେ ଜାପାଟା ନକ୍‌ ଆଉଟ୍‌ ହୋଇଥିଲେ । 

ପ୍ରତିଦ୍ୱନ୍ଦ୍ୱି ପିୟର ଜାପାଟାଙ୍କ ଉପରେ ଭୟଙ୍କର ଆକ୍ରମଣ କରିଥିଲେ । ଗୁରୁତର ଆହତ ହୋଇ ଜାପାଟା ରିଙ୍ଗ୍‌ରେ ଟଳି ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସୂଚନା ମୁତାବକ ୫ ଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରଲୋକରେ ପ୍ରୋ ବକ୍ସିଂ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ଜାପାଟାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟିଛି। 

ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କହିଛନ୍ତି, “ ଜାନେଟ୍ ଜାକରିଆସ୍ ଜାପାଟାଙ୍କ ପରି ଜଣେ ମହାନ ଖେଳାଳିଙ୍କ ବିୟୋଗର ଦୁଃଖଦ ଖବର ମୋତେ ଦୁଃଖିତ କରିଛି । ମୁଁ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମୋର ଆନ୍ତରିକ ଏବଂ ଗଭୀର ସମବେଦନା ଜଣାଉଛି। ଭଗବାନ ତାଙ୍କ ଆତ୍ମାକୁ ସଦଗତୀ ପ୍ରଦାନ କରନ୍ତୁ।”

Related Posts