
ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟୁଇଟ୍ର ଆକାଉଣ୍ଟରେ ଲେଖିଛନ୍ତି ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ମୁଁ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା । ଓଁ ଶାନ୍ତି ।
— Narendra Modi (@narendramodi) January 29, 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ଏହାସହିତ ଆପୋଲୋ ହସ୍ପିଟଲରେ ପହଞ୍ଚି ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ।
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା @bjd_odisha ର ନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଶୋକରେ ମ୍ରିୟମାଣ। ତୃଣମୂଳସ୍ତର ନେତା ଭାବେ ତାଙ୍କ ପ୍ରତି ଲୋକଙ୍କ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ରହିଛି। ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି। ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ।
— Naveen Patnaik (@Naveen_Odisha) January 29, 2023
ତେବେ ଏହାଛଡା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଟୁଇଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ବିଧାୟକ ସୁର ରାଉତରାୟ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳ ମତ ନିର୍ବିଶେଷରେ ବହୁ ବିଶିଷ୍ଟ ବ୍ୟକ୍ତି ନବ ଦାସଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି।