ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ; ‘ଭାରତ ଯୋଡ଼ ଯାତ୍ରା’ ସମୟରେ ବୋମା ପକାଇ ଉଡ଼ାଇ ଦେବାକୁ ଦୁର୍ବୃତ୍ତଙ୍କ ଚିଠି

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ । ‘ଭାରତ ଯୋଡ଼ ଯାତ୍ରା’ ସମୟରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ ବୋମା ଫିଙ୍ଗାଯିବ ବୋଲି ମିଳିଥିବା ଚିଠିରେ ଧମକ ଦିଆଯାଇଛି ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସକାଳେ ଇନ୍ଦୋରର ଏକ ମିଠା ଦୋକାନରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଛି । ଚିଠି ମିଳିବା ପରେ ଇନ୍ଦୋର ପୋଲିସ ସିସିଟିଭି ଯାଞ୍ଚ କରୁଛି । ଏନେଇ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ଇନ୍ଦୋର ପୋଲିସ ଧାରା ୫୦୭ରେ ମାମଲା ରୁଜୁ କରିଛି ।

ତେବେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା କାଶ୍ମୀରରେ ସରିବ । ଆଜି ଭାରତ ଯୋଡ଼ ଯାତ୍ରାର ୭୨ତମ ଦିନ ହୋଇଥିବା ବେଳେ ଏବେ ପଦଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିଛି। ଆସନ୍ତା ନଭେମ୍ବର ୨୦ରେ ରାହୁଲ ମହାରାଷ୍ଟ୍ର ଦେଇ ମଧ୍ୟପ୍ରଦେଶର ବୁରହାନପୁରରେ ପହଞ୍ଚିବେ । ମଧ୍ୟପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଏଭଳି ଧମକ ମିଳିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶରେ ୧୩ ଦିନରେ ୬ ଜିଲ୍ଲାରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ୧୫୦ ଦିନ ଧରି ଚାଲିବାକୁ ଥିବା ଭାରତ ଯୋଡ଼ ଯାତ୍ରା ୧୨ଟି ରାଜ୍ୟ ଦେଇ ୩ ହଜାର ୫୭୦ କିଲୋମିଟର ଅତିକ୍ରମ କରିବ । ସେପ୍ଟେମ୍ବର ୭ରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରାର ଆରମ୍ଭ ହୋଇଥିଲା । ଏହାପରେ ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ହୋଇ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି।

Related Posts