‘ନୋ ମନି ଫର ଟେରର’ ସମ୍ମିଳନୀ; ଆତଙ୍କବାଦ ପ୍ରସଙ୍ଗରେ ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର ଟେରର’ ବିଶ୍ବସ୍ତରୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ନାଁ ନେଇ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା ପହଞ୍ଚୁଛି । ଏବେ ବିଶ୍ବରୁ ଆତଙ୍କବାଦ ମୂଳପୋଛ କରିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ତେବେ ‘ନୋ ମନି ଫର୍ ଟେରର୍’ ସମ୍ମିଳନୀ ପୂର୍ବରୁ ପ୍ୟାରିସ୍ ଓ ମେଲବୋର୍ଣ୍ଣରେ ହୋଇଥିଲା । ଚଳିତ ବର୍ଷ ଭାରତରେ ଏହି ମୁଦ୍ଧା ଉପରେ ଆଲୋଚନା ଚାଲିଛି ।ଶୁକ୍ରବାର ଠାରୁ ଭାରତରେ ‘ନୋ ମନି ଫର୍ ଟେରର୍’ ସମ୍ମିଳନୀରେ ଆରମ୍ଭ ହୋଇଛି । ଏଥିରେ ପ୍ରାରମ୍ଭରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଦେଶ ଆତଙ୍କବାଦୀଙ୍କୁ ସମର୍ଥନ କରିବା ସହ ଫଣ୍ଡିଂ ଯୋଗାଡ଼ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ଅର୍ଥ ପହଞ୍ଚୁଛି । ଆତଙ୍କବାଦୀ ମାନବ ସମାଜ, ସ୍ବତନ୍ତ୍ରତା ଓ ସଭ୍ୟତା ପାଇଁ ବଡ଼ ବିପଦ । ଆତଙ୍କବାଦର କୌଣସି ସୀମା ନାହିଁ । ସମସ୍ତେ ଏକଜୁଟ ହୋଇ ଆତଙ୍କୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଆଜିର ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରି ନ ଥିବା ପାକିସ୍ତାନ ଓ ଆଫଗାନିସ୍ତାନ ପ୍ରତି ପ୍ରକାରାନ୍ତରେ ସାମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ଦ୍ଦିଷ୍ଟ କେତେକ ଦେଶ ଆତଙ୍କବାଦକୁ ସେମାନଙ୍କର ବୈଦେଶିକ ନୀତିର ଅଂଶବିଶେଷ କରିଛନ୍ତି। ସେମାନେ ତାଙ୍କୁ ରାଜନୈତିକ, ଆଦର୍ଶଗତ ଓ ଅର୍ଥନୈତିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ବିଶେଷକରି, ଗରିବ ଓ ଆଞ୍ଚଳିକ ଅର୍ଥନୀତି ଉପରେ ଆତଙ୍କବାଦର ଦୀର୍ଘକାଳୀନ ପ୍ରଭାବ ଅତି ଉତ୍କଟ ବ‌ୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି, ଭାରତ ସବୁବେଳେ ପାକିସ୍ତାନ ସହ ଉତ୍ତମ ସମ୍ପର୍କ ରଖିବାକୁ ପ୍ରୟାସ ଜାରି ରଖିଛି, ହେଲେ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତର କ୍ଷତି ପହଞ୍ଚାଉଛି ବୋଲି ସେ କହିଥିଲେ ।

Related Posts