ନୂଆଦିଲ୍ଲୀ : ଗୁଜୁରାଟରେ ପୁଣି ବଢ଼ିଲା ମଦ ମୃତ୍ୟୁ ସଂଖ୍ୟା । ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆଗକୁ ମଧ୍ୟ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା ଦେଖା ଦେଇଛି । ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି ।
ଅନ୍ୟଦିଗରେ ଏସଆଇଟି ବ୍ୟତୀତ ଗୁଜୁରାଟ ଏଟିଏସ ଭିନ୍ନ ଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି । ସେହିପରି ଭାବନଗର ଆଇଜି ଅଶୋକ ଯାଦବଙ୍କ କହିବାନୁସାରେ, ଦୋଷୀ ଖସି ପାରିବେନି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କୁହାଯାଉଛି ଯେ, ବିଷାକ୍ତ ମଦ ପିଇ ରୋଜିନ୍ଦ, ଅଣିୟାଣି, ଆକରୁ, ଚନ୍ଦରବା ଓ ଉଞ୍ଚଡି ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି । ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗୁଜୁରାଟରେ ମଦ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମଦ କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
