ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ ଜେଲରୁ ମୁକ୍ତ କରିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ: କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମସ୍ତ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ପ୍ରସଙ୍ଗରେ ଆଦଳତଙ୍କ ନିଷ୍ପତ୍ତି ସହ ଅସହମତ ହୋଇଛି କଂଗ୍ରେସ ଦଳ । ଦଳ ତରଫରୁ କୁହାଯାଇଛି କି, ସୁପ୍ରିମକୋର୍ଟର ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଓ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ । କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ଏହା ଦୁଭାଗ୍ୟପୂର୍ଣ୍ଣ , ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ଭାବନା ବିରୋଧରେ କାର୍ଯ୍ୟ କରିଛି ।

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ୬ ଜଣ ଯାକ ଦୋଷୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କର ଏଭଳି ଆଦେଶକୁ ଦଳ ଗ୍ରହଣ କରିପାରି ନାହିଁ । ଦଳ ଭିତରେ ଏନେଇ ଆଲୋଚନା ଚାଲିଛି ବୋଲି ଜୟରାମ ରମେଶ କହିଛନ୍ତି ।

ସୂଚନା ଥାଉକି ୧୯୯୧ ମସିହା ମେ’ମାସ ୨୧ ତାରିଖରେ ରାଜୀବ ଗାନ୍ଧୀଙ୍କୁ ତାମିଲନାଡୁର ଶ୍ରୀପେରୁବଦୁର ଠାରେ ହତ୍ୟା କରାଯାଇଥିଲା । ସେ ସଭାରେ ଭାଷଣ ଦେଉଥିବା ବେଳେ ଏଲଟିଟି ତରଫରୁ ଷଡଯନ୍ତ୍ର କରାଯାଇ ମାନବ ବୋମା ବିସ୍ଫୋରଣ କରାଯାଇଥିଲା । ଏଥିରେ ରାଜୀବ ଗାନ୍ଧୀଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ।

Related Posts