ଦେଶରେ କମୁଛି ସଂକ୍ରମଣ, ସ୍ବାଭାବିକ ହେବ ସୁପ୍ରିମକୋର୍ଟରେ ଶୁଣାଣି ଓ କୋର୍ଟ କାର୍ଯ୍ୟ: ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା

ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଫଳରେ ସ୍ବାଭାବିକ ହେବାରେ ଲାଗିଛି ଜନଜୀବନ l ସେପଟେ ସ୍ଵାଭାବିକ ହେବ ସୁପ୍ରିମକୋର୍ଟରେ ଶୁଣାଣି ଓ କୋର୍ଟ କାର୍ଯ୍ୟ । ଏଣିକି ସୁପ୍ରିମକୋର୍ଟରେ ଭର୍ଚ୍ଚୁଆଲ ଶୁଣାଣି ପରିବର୍ତ୍ତେ ପୂର୍ବ ଭଳି ଶୁଣାଣି ହେବ । ଆଜି ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା କହିଛନ୍ତି । ତେବେ ଚଳିତ ବର୍ଷ ଜାନୁଆରୀ ୨ ତାରିଖରୁ ସର୍ବୋଚ୍ଚ ନ୍ୟାୟଳୟ ପକ୍ଷରୁ ଭର୍ଚ୍ଚୁଆଲ ଶୁଣାଣି ହେବା ନେଇ କୁହାଯାଇଥିଲା ।

ଏହା ପରେ ଜାନୁଆରୀ ୩ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବା ସହ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଣାଣି କାର୍ଯ୍ୟ ଚାଲୁଥିଲା । ମାତ୍ର ଆଜି ମୁଖ୍ୟ ବିଚାରପତି ରମଣାଙ୍କ କହିବା ଅନୁଯାଯୀ ଏବେ ସ୍ବାଭାବିକ ଭାବେ ଶୁଣାଣି କାର୍ଯ୍ୟ ହେବା ସହ ଏପ୍ରିଲ୍‌ ୪ରୁ ଏହି ଶୁଣାଣି ହେବ ।

ଅନ୍ୟପଟେ ଯେଉଁ ଓକିଲ ଭର୍ଚ୍ଚୁଆଲରେ ଶୁଣାଣିରେ ଉପସ୍ଥିତ ରହିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ସେ ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା କହିଛନ୍ତି । ତେବେ ଜାନୁଆରୀରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବଢୁଥିବା କାରଣୁ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଣାଣି କାର୍ଯ୍ୟ ଚାଲିଥିଲା । ଏପଟେ ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣାଙ୍କ ଏହି ଘୋଷଣା ପରେ ସୁପ୍ରିମକୋର୍ଟ ଓକିଲ ସଂଘର ସଭାପତି ବିକାଶ ସିଂ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Posts