ରେଳ ପ୍ରକଳ୍ପରେ ଜମି ବାଧକ

ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ ଓଡ଼ିଶାରେ ରେଳପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ଆବଶ୍ୟକ ପଡ଼ୁଥିବା ୧୫ହଜାର ଏକରରୁ ଅଧିକ ଜମିକୁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଅଧିଗ୍ରହଣ କରିନାହାନ୍ତି ।

ଓଡ଼ିଶା ବିଧାନସଭା କମିଟି ସଦସ୍ୟଙ୍କ ସହ ଆଲୋଚନା କାଳରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହା କହିଛନ୍ତି । ଜମି ଅଧିଗ୍ରହଣ କରାଗଲେ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ୧୯ଟି ରେଳ ପ୍ରକଳ୍ପ ଲାଗି ରାଜ୍ୟ ସରକାର ଅତିକମ୍‍ରେ ୧୫,୪୭୩ ଏକର ଜମି ଅଧିଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି ଯେ ଏହି ୧୯ଟି ରେଳ ପ୍ରକଳ୍ପ ଲାଗି ୭୬୩୨ ଏକର ଘରୋଇ ଜମି, ୨୨୯୧ ଏକର ସରକାରୀ ଓ ୫୫୫୯ ଏକର ଜଙ୍ଗଲ ଜମି ଆବଶ୍ୟକ । ୧୫ଟି ରେଳ ପ୍ରକଳ୍ପ କାର୍ଯ୍ୟ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଜବରଦଖଲ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଆଗେଇ ପାରୁନଥିବାବେଳେ ରାଜ୍ୟ ସରକାରଙ୍କ ସହଯୋଗ ଏଥିପାଇଁ ଜରୁରୀ ହୋଇପଡ଼ିଛି ।

କେନ୍ଦ୍ର ସରକାର ଅଗ୍ରାଧିକାର ଭିତ୍ତିରେ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ବେଳେ ଜମି ଅଧିଗ୍ରହଣ, ଜବରଦଖଲ, ଜଙ୍ଗଲ ଅନୁମତି ଓ ସ୍ଥାନୀୟ ଲୋକଙ୍କ ବିରୋଧ ଆଦି ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିବା ଆବଶ୍ୟକ । ଉଦାହରଣସ୍ୱରୂପ ୨୮୯ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୧୧୨ରୁ ୨୮୯ କିଲୋମିଟର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ନିକଟରେ ଅଟକି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଏହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ କହିଛନ୍ତି । କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଜମି ଅଧିଗ୍ରହଣ କରି ଯୋଗାଇଦେବା ଆବଶ୍ୟକ ବୋଲି ଏହି ବରିଷ୍ଠ ଅଧିକାରୀ କହିଛନ୍ତି ।

ଆଉ ଗୋଟିଏ ଉଦାହରଣ ଦେଇ ସେ କହିଛନ୍ତି ଯେ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଲାଗି ଆବଶ୍ୟକ ପଡ଼ୁଥିବା ଜମି ଅଧିଗ୍ରହଣ ପ୍ରସଙ୍ଗକୁ ସାଂସଦମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ଲାଗି ରେଳମନ୍ତ୍ରୀ ସେମାନଙ୍କୁ ଚିଠି ଲେଖିଛନ୍ତି । ଜମି ଅଧିଗ୍ରହଣ ନ ହେଲେ ଅଗ୍ରାଧିକାର ଭିତ୍ତିରେ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଅନୁରୂପ ଭାବେ ଅନୁଗୁଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ନୂଆ ରେଳ ପ୍ରକଳ୍ପ ଲାଗି ଉଭୟ ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଛି । ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ବୁରାମୁରା-ଚକୁଳିଆ ନୂଆ ରେଳପଥ ପାଇଁ ମାଗଣାରେ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ଏହି ପ୍ରକଳ୍ପ ଓଡ଼ିଶା ଓ ଝାଡ଼ଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଝାଡ଼ଖଣ୍ଡ ପଟରେ ଥିବା ୩୭ କିଲୋମିଟର ରେଳଲାଇନ୍‍ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ସେହି ରାଜ୍ୟକୁ କୁହାଯାଇଛି । ଝାଡ଼ଖଣ୍ଡ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଓଡ଼ିଶା ମଧ୍ୟ ଅନୁରୂପ ପଦକ୍ଷେପ ନେବାକୁ କୁହାଯାଇଛି । ଅତିକମ୍‍ରେ ୧୧ଟି ପ୍ରକଳ୍ପ ଏବେ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଜବରଦଖଲ ଓ ଜନ ବିରୋଧ ଯୋଗୁ ଅଟକି ଯାଇଛି । ଜଳେଶ୍ୱର-ଦୀଘା ରେଳ ପ୍ରକଳ୍ପ ମଧ୍ୟ ବିଭିନ୍ନ କାରଣ ଯୋଗୁ ଅଧାବାଟରେ । ବୈଷୟିକ ପରୀକ୍ଷା ନିରୀକ୍ଷା ପରେ ଏହା ଲାଭଦାୟକ ନୁହେଁ ଏବଂ ଜନବସତିଠାରୁ ବହୁ ଦୂରରେ ଥିବା ଜଣାଯାଇଛି । ଦ୍ୱିତୀୟରେ ପଶ୍ଚିମବଙ୍ଗ ସରକାର ଜମି ଅଧିଗ୍ରହଣ ଲାଗି ରୋକଠୋକ୍‍ ମନା କରିଦେଇଛନ୍ତି । ୪୧ କିମି ଦୈର୍ଘ୍ୟ ଏହି ପ୍ରକଳ୍ପର ୩୪ କିମି ଓଡ଼ିଶାରେ ଥିବା ବେଳେ ପଶ୍ଚିମବଙ୍ଗରେ ୭ କିମି ରହିଛି । ପଶ୍ଚିମବଙ୍ଗ ସରକାର ଜମି ଯୋଗାଇବାକୁ ମନା କରିଦେବା ଫଳରେ ଏହା ଆର୍ଥିକ ଓ ବୈଷୟିକ ଦୃଷ୍ଟିରୁ ଲାଭଦାୟକ ହେବ ନାହିଁ ବୋଲି ଅଧିକାରୀମାନେ ମତ ଦେଇଛନ୍ତି ।

Related Posts