ଆପରାଧିକ ନେତାଙ୍କ ତଥ୍ୟ ଦେବେ ରାଜନୈତିକ ଦଳ

(ସତ୍ୟପାଠ ବ୍ୟୁରୋ) ନୂଆଦିଳ୍ଲୀ: ରାଜନୀତିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ଏ ସଂପର୍କୀତ ଏକ ମାମଲାରେ କୋର୍ଟ ସମସ୍ତ ରାଜନୀତିକ ଦଳଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । କେଉଁ ଆଧାରରେ ଜଣେ ଅପରାଧ ପୃଷ୍ଠଭୂମିରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇଛି ସେ ବାବଦରେ ଉତ୍ତର ରଖିବାକୁ ରାଜନୀତିକ ଦଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦଳୀୟ ପ୍ରାର୍ଥୀଙ୍କ ସମସ୍ତ ଅପରାଧିକ ରେକର୍ଡ଼ ପ୍ରାର୍ଥୀ ଘୋଷଣା କରିବାର ୪୮ ଘଣ୍ଚା ମଧ୍ୟରେ ଦଳୀୟ ଓ୍ୱେବସାଇଟ ଓ ସୋଶାଲ ମିଡିଆରେ ଅପଲୋଡ କରିବା ସହିତ ଖବରକାଗଜରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ଏ ସଂପର୍କୀତ ସମସ୍ତ ତଥ୍ୟ ସହିତ ତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ତାହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଯଦି ରାଜନୀତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତା’ହେଲେ କୋର୍ଟ ଅବମାନନା ମାମଲା ରୁଜୁ କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ରାଜନୀତିକୁ ଅପରାଧ ମୁକ୍ତ କରିବା ନେଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି। ରାଜନୀତିକୁ ଅପରାଧ ମୁକ୍ତ କରିବା ପାଇଁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି। ନିର୍ବାଚନ ଆୟୋଗ ନିୟମ କଡ଼ାକଡ଼ି କଲେ ଅପରାଧୀ ନେତା ଆଉ ଟିକେଟ ପାଇପାରିବେ ନାହିଁ ବୋଲି ସେ କହିଛନ୍ତି ।

Related Posts