ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ପୁଣି ଶ୍ରୀମନ୍ଦିର ପରିଚାଳନାରେ ରାଜ୍ୟ ପ୍ରଶାସନର ତ୍ରୁଟି ପଦାରେ ପଡ଼ିଛି।ଶ୍ରୀମନ୍ଦିର ପ୍ରଶାସନର ଦୁଇଟି ଫାଇଲ୍‌ ହଜାଇ ଦେଇଛି ଆଇନ୍ ବିଭାଗ। ଯେଉଁଥିରେ ହାଇକୋର୍ଟ ମାଗିଥିବା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ବହୁ‌ ଖୋଜାଖୋଜି ପରେ ଏହି ଦୁଇ ଫାଇଲ୍‌ ନ ମିଳିବାରୁ ଆଇନ ବିଭାଗ ପକ୍ଷରୁ ସମସ୍ତ ସେକ୍ସନ୍‌କୁ ଏ ସମ୍ପର୍କରେ ଚିଠି କରି ଫାଇଲ୍‌ ଖୋଜିବାକୁ କୁହାଯାଇଛି। ଫାଇଲ୍‌ ମିଳିଲା କି ନାହିଁ ଯଥାଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି।

ସେପଟେ ଏହାକୁ ନେଇ ମଙ୍ଗଳବାର ବୈଠକରେ ତମ୍ବିତୋଫାନ ହୋଇଛି। କେଉଁ ପରିସ୍ଥିତିରେ ଏହି ଫାଇଲ୍‌ ହଜିଲା, ବରିଷ୍ଠ ସେବାୟତମାନେ ତାର କାରଣ ପଚାରିଛନ୍ତି। ଏହା ଆଇନ ବିଭାଗର ଦାୟିତ୍ବହୀନତା ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାର କୌଣସି ଜବାବ ରଖିନି। ସେପଟେ ଆସନ୍ତା ୨୦ ତ‌ାରିଖରେ ହାଇକୋର୍ଟରେ ମହାପ୍ରଭୁଙ୍କ ଜମିଜମା ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଫାଇଲ୍‌ ହଜିବା ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟ ସରକାରଙ୍କ ଆଇନ ବିଭାଗ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ ସହ ଅନ୍ୟାନ୍ୟ ସେକ୍ସନ୍‌ ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଚିଠି ନେଣଦେଣ ଏହି ଶ୍ରୀମନ୍ଦିର ସେକ୍ସନ୍‌ ସହ ‌ହୋଇଥାଏ। ଆଇନ ବିଭାଗ ପକ୍ଷରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ସେକ୍ସନ୍‌ରୁ ଚିଠି ହଜିଥିବା ସମ୍ପର୍କରେ ନିଜ ଅଧୀନସ୍ଥ ସମସ୍ତ ସେକ୍ସନ୍‌କୁ ଚିଠି(ନଂ-ଜେଟିଏ-୫୦/୨୧/୮୨୧୦/ଏଲ୍‌) କରାଯାଇଛି। ଯେଉଁଥିରେ ହଜିଥିବା ଫାଇଲ୍‌ ନମ୍ବର ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ‌ ବୋଲି ଉଲ୍ଲେଖ ହୋଇଛି। ଏହା ହାଇକୋର୍ଟଙ୍କ ଆଦେଶ ସମ୍ପର୍କିତ ଫାଇଲ୍‌ ହୋଇଥିବା ବେଳେ ଏହାକୁ ଗୁରୁତ୍ବ ଦେଇ ସମସ୍ତ ସେକ୍ସନ୍‌ ଫାଇଲ ଖୋଜିବାକୁ କୁହାଯାଇଛି।

ତେବେ ଏଭଳି ଘଟଣାକୁ ଭକ୍ତ ଓ ସେବାୟତଙ୍କ ମହଲରେ ନାପସନ୍ଦ କରାଯାଇଛି। ଆଇନ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ମତ ପ୍ରକାଶ ପାଇଛି।