ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୧ ସୋମବାର ଦିନ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ପ୍ରାୟ ୪୫୦ ପ୍ରାର୍ଥୀ ନାମ ଲେଖାଇଛନ୍ତି। କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ” ଦିଲ୍ଲୀ ସରକାର ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨ ତାରିଖରୁ ଏହି ପ୍ରଶିକ୍ଷକମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ମାଗଣାରେ ତାଲିମ ଦେବେ। ଏହି ଭଳି ମହାମାରୀ ସମୟରେ ସ୍ୱାସ୍ଥ୍ୟ ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। କେଜରିୱାଲ ଘୋଷଣା କରିଛନ୍ତି ଯେ ଯୋଗ ପାଇଁ ଦିଲ୍ଲୀ ସରକାର ଏକ ବଜେଟ୍ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଗକୁ ଦିଲ୍ଲୀରେ ଏକ ଜନ ଆନ୍ଦୋଳନ କରାଯିବ। ସେ କହିଛନ୍ତି ଯେ ଯୋଗ ଏବଂ ଧ୍ୟାନକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଦିଲ୍ଲୀରେ ଏକ ନୂଆ ଯୋଗ କେନ୍ଦ୍ର ଆରମ୍ଭ ହୋଇଛି। କରୋନାକୁ ଏଡାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ରହିବା ବହୁତ ଜରୁରୀ। ତେଣୁ କୋଭିଡ ପରେ ବ୍ୟାୟାମ ଏବଂ ଧ୍ୟାନର ବହୁତ ଆବଶ୍ୟକତା ରହିଛି। ଆମେ ଲୋକମାନଙ୍କୁ ପ୍ରାଣାୟାମ ଶିଖାଇବୁ ବୋଲି କହିଛନ୍ତି କେଜ୍ରିୱାଲ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

Related Posts