
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଟୀକାକରଣ କ୍ଷେତ୍ରରେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ । ରାଜ୍ୟରେ ଗୋଟିଏ ଦିନରେ ୧୨.୫୬ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରି ଏହି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଜାନୁଆରୀରେ ଭାରତରେ ଟୀକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟରେ ଏମିତି ରେକର୍ଡ ଟିକାକରଣ ହୋଇନାହିଁ। ରବିବାର ସନ୍ଧ୍ୟା ୬ ସୁଦ୍ଧା ରାଜ୍ୟରେ ୧୨,୫୬,୨୧୫ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା ନେଇ ସୂଚନା ମିଳିଛି। ଏହି ମେଗା ଟୀକାକରଣ ଅଭିଯାନରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହା ସହ ୫ ବର୍ଷରୁ କମ୍ ବୟସର ପିଲା ଥିବା ମା’ମାନଙ୍କୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପିଟିଆଇ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧.୧ କୋଟିରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆସରିଛି। ଏହା ବ୍ୟତୀତ ୨୭ ଲକ୍ଷରୁ ଅଧିକ ଲୋକ ଟିକାର ଦୁଇଟି ଡୋଜ୍ ନେଇସାରିଛନ୍ତି। ରାଜ୍ୟର ୧୩ ଜିଲ୍ଲାର ୨୨୦୦ ଟିକାକରଣ କେନ୍ଦ୍ରରେ ସକାଳ ୬ରୁ ଟୀକାକରଣ ଆରମ୍ଭ ହୋଇଥିଲା। ଦ୍ବିପ୍ରହର ୨ଟା ସୁଦ୍ଧା ସ୍ବାସ୍ଥ୍ୟକର୍ମୀମାନେ ମୋଟ ୯,୦୨,୩୦୮ ଲୋକଙ୍କୁ ଟିକା ଦେଇସାରିଥିଲେ। ଅପରାହ୍ଣ ୩ଟା ସୁଦ୍ଧା ଏହି ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଥିଲା। ଏହା ପୂର୍ବରୁ ଏପ୍ରିଲ ୧୪ ରେ, ଆନ୍ଧ୍ରରେ ୬୨୮୯୬୧ ଲୋକଙ୍କୁ ଟୀକାକରଣ କରାଯାଇଥିଲା, ଯାହା ଦେଶରେ ଗୋଟିଏ ଦିନରେ ସବୁଠୁ ଅଧିକ ଲୋକଙ୍କୁ ଟିକାକରଣ କରି ରେକର୍ଡ ସୃଷ୍ଟି କରିଥିଲା ।