ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ !

ନୂଆଦିଲ୍ଲୀ: ପୁଣିଥରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀଙ୍କ ନାଁରେ ମୃତ୍ୟୁ ପରୱାନା ବା ଡେଥ ୱାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ। ଏନେଇ ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଏ.ପି. ସିଂହ କହିଛନ୍ତି ଆଇନର ଲଢ଼େଇ ପାଇଁ ଆମ ପାଖରେ ଅନେକ ବିକଳ୍ପ ରହିଛି । ତେଣୁ ଫାଶୀ ତାରିଖ ପୁଣି ଘୁଞ୍ଚିବା ସମ୍ଭାବନା ରହିଛି । ପୂର୍ବରୁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇଟି ଫାଶୀ ତାରିଖ ସ୍ଥିର କରିଥିଲେ । କିନ୍ତୁ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରି ଏହାକୁ ଟାଳି ଦେଇଥିଲେ।

ଆଜି ଶୁଣାଣି ବେଳେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେଇଥିଲେ। ସରକାରୀ ଓକିଲ ରାଜୀବ ମୋହନ କହିଥିଲେ ଯେ ବର୍ତ୍ତମାନ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରି ସାରିଛନ୍ତି । କେବଳ ପବନ ଗୁପ୍ତାର ହିଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବାକି ରହିଛି । କୌଣସି କୋର୍ଟରେ ମଧ୍ୟ ସେମାନଙ୍କର କୌଣସି ଆବେଦନ ପେଣ୍ଡିଂ ହୋଇ ରହିନାହିଁ। ତେଣୁ ଡେଥ ୱାରେଣ୍ଟ ଜାରି କରାଯିବା ଦରକାର। ସେ ଆହୁରି କହିଥିଲେ ଯେ ଦୋଷୀମାନେ ଆଇନର ଗଳାବାଟ ବ୍ୟବହାର କରୁଥିବାରୁ ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ ୭ ଦିନର ସମୟ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ସମସ୍ତ ଦୋଷୀଙ୍କୁ ସେମାନଙ୍କ ପାଖରେ ଥିବା ଆବେଦନ ବିକଳ୍ପକୁ ବ୍ୟବହାର କରିବାକୁ କୁହାଯାଇଥିଲେ। ହେଲେ ପବନ ଏହାକୁ ଖାତିର କରିନାହିଁ। କୋର୍ଟ ଧାର୍ଯ୍ୟ ସମୟସୀମା ମଧ୍ୟ ଶେଷ ହୋଇଯାଇଛି।

ଅନ୍ୟପଟେ ଫାଶୀରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ନୂଆ ଭେଳିକି ଦେଖାଇଛି । ଶୁଣାଣି ବେଳେ ସେ କହିଥିଲା ଯେ ତା’ପାଇଁ ମାମଲା ଲଢ଼ୁଥିବା ବ୍ରିନ୍ଦା ଗ୍ରୋଭର ଆଉ କୋର୍ଟକୁ ଆସିବେ ନାହିଁ। ମୋତେ ନୂଆ ଓକିଲ ଦରକାର। ମୁକେଶ ସିଂହର ମା’ ମଧ୍ୟ ଆଜି କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ଥିଲେ। ସେ ନିଜ ପୁଅର ଫାଶୀ ଦଣ୍ଡକୁ ଆଇଜୀବନରେ ପରିଣତ କରିବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଦୋଷୀ ବିନୟ ଶର୍ମା ଫେବୃଆରୀ ୧୧ରୁ ଜେଲରେ ଆମରଣ ଅନଶନ ଆରମ୍ଭ କରିଥିବା ମଧ୍ୟ ଆଜି କୋର୍ଟଙ୍କୁ ଅବଗତ କରାଯାଇଥିଲା। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଆଡସିନାଲ ଜଜ୍ ଧର୍ମେନ୍ଦ୍ର ରାଣା ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ନିଜ ଚ୍ୟାମ୍ବରରେ ପହଞ୍ଚି ନୂଆ ଡେଥ ୱାରେଣ୍ଟ ତାରିଖ ଜାରି କରିଥିଲେ।

ଡେଥ ୱାରେଣ୍ଟ ଜାରି କରାଯାଇଥିଲେ ହେଁ ପବନ ଗୁପ୍ତା ପାଖରେ ଏଥିରୁ ବର୍ତ୍ତିବା ପାଇଁ ଦୁଇଟି ବିକଳ୍ପ ରହିଛି । ତେଣୁ ସେ ଏହି ବିକଳ୍ପ ଜରିଆରେ ପୁଣି କିଛି ଦିନ ପାଇଁ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିପାରେ। ପବନ ପାଖରେ ବିକଳ୍ପ ଥିଲେ ହେଁ ମୁକେଶ, ବିନୟ ଓ ଅକ୍ଷୟ ସେମାନଙ୍କର ସମସ୍ତ ପ୍ରକାରର ବିକଳ୍ପ ବ୍ୟବହାର କରି ନିରାଶ ହୋଇଛନ୍ତି ।

Related Posts