ହତ୍ୟାକାଣ୍ଡରେ ବୋଲେରୋ ପରେ ଇନୋଭା ଗାଡ଼ି ବ୍ୟବହାର ହୋଇଛି: ଡେମୋ ଦେଖାଇଲା ଅନୁପଙ୍କ ଡ୍ରାଇଭର ।

(ସତ୍ୟପାଠ ବ୍ୟୁରୋ) ରାୟଗଡ଼: ବହୁ ଚର୍ଚ୍ଚିତ ହମିରପୁର ଡବଲ୍‌ ମର୍ଡ଼ର ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ କ’ଣ କରିଥିଲେ ? କିଭଳି ହୋଇଥିଲା ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ? ଏହି ହତ୍ୟାକାଣ୍ଡରେ ଅନୁପ ଓ ତାଙ୍କ ଡ୍ରାଇଭର ସହ ଆଉ କିଏ ସାମିଲ ଥିଲେ କି ? କୁହାଯାଉଛି ହତ୍ୟାକାଣ୍ଡରେ ଦୁଇ ଦୁଇଟି ଗାଡ଼ି ବ୍ୟବହାର କରାଯାଇଛି । ତେବେ ଏହି ଗାଡ଼ି କାହାର ? ଏବେ ସେହି ଗାଡ଼ି କେଉଁଠି ଅଛି ? ଏସବୁ ପ୍ରଶ୍ନ ଉପରୁ ପରଦା ଉଠାଇବା ପାଇଁ ଘଟଣାସ୍ଥଳକୁ ଅନୁପଙ୍କ ଡ୍ରାଇଭରକୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍‌ କରିଛି ପୋଲିସ । କିଭଳି ଉଭୟ କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଛି ଡ୍ରାଇଭର ବର୍ଦ୍ଧନ ।

ଡେମୋ ପ୍ରଦର୍ଶନ ବେଳେ ହତ୍ୟାକାଣ୍ଡରେ ବୋଲେରୋ ପରେ ଇନୋଭା ଗାଡ଼ିର ବ୍ୟବହାର ହୋଇଥିବା କହିଛି ବର୍ଦ୍ଧନ । ବୋଲେରୋ ପରେ ମୃତକଙ୍କ ଉପରେ ଇନୋଭା ଚଢ଼ା ଯାଇଥିବା ଜଣା ପଡ଼ିବା ବେଳେ ଏହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।  ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡରେ ବୋଲେରୋ ଓ ଇନୋଭାର ବ୍ୟବହାର ହୋଇଥିବା ବର୍ଦ୍ଧନ କହିଛି  କିନ୍ତୁ ଇନୋଭାରେ କେତେ ଜଣ ଓ କିଏ କିଏ ଥିଲେ ସେ ବିଷୟରେ ପୋଲିସକୁ କୌଣସି ସୂଚନା ଦେଇନି ।

ସୂଚନା ଅନୁସାରେ, ୨୦୧୪ ନିର୍ବାଚନ ପାଇଁ ଅନୁପ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ତାଙ୍କ ପାଖରେ OR 02AY 8596 ନମ୍ବର ଥିବା ଗୋଟିଏ ବୋଲେରୋ ରହିଛି । ଯାହାକୁ ସେ ୨୦୦୯ରୁ ବ୍ୟବହାର କରି ଆସୁଥିଲେ । ତେବେ ଅଚାନକ୍ ଏହି ଗାଡ଼ିକୁ ୨୦୧୬ରେ ତାଙ୍କ ସମ୍ପର୍କୀୟ ସୁନୀଲ ସାଇ ଦେଓଙ୍କୁ ଅନୁପ ବିକ୍ରି କରି ଦେଇଥିଲେ । ଏହି ଗାଡ଼ିକୁ ଗୁଜରାଟ ନେବା ପାଇଁ ଭୁବନେଶ୍ୱର ଆର୍‌ଟିଓଙ୍କ ପାଖରେ NOC ପାଇଁ ଆବେଦନ ହୋଇଥିଲା ଏବଂ ୨୦୧୭ ଜୁଲାଇ ୧୯ରେ ଏନେଇ ଅନୁମତି ମିଳିଥିଲା । କିନ୍ତୁ ଏହି ଗାଡ଼ି ଗୁଜରାଟ ନ ଯାଇ ଓଡ଼ିଶାରେ ହିଁ ଥିବା ଜଣାପଡ଼ିଛି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି, ବୋଲେରୋ ବିକ୍ରି ହୋଇଛି ଓ ଗୁଜରାଟ ପାଇଁ NOC ନିଆଗଲା ତେବେ ଏହା ଓଡ଼ିଶାରେ କାହିଁକି ରହିଲା ? ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ୍‌ । ଅପରକ୍ଷେ NOC ନେବା ଆଳରେ କିଛି ଲୁଚା ଯାଉଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି ।

ସେହିପରି ୨୦୧୫ ଜୁଲାଇ ୬ରେ OD 02V 9744 ନମ୍ବର ଥିବା ଏକ ଇନୋଭା ଗାଡ଼ି ଅନୁପ ସାଏ କିଣିଥିଲେ । ଯାହାକୁ ସେ ଏବେ ବି ବ୍ୟବହାର କରୁଛନ୍ତି । ତେଣୁ ଏହି ଦୁଇଟି ଗାଡ଼ି କଳ୍ପନା ଓ ତାଙ୍କ ଝିଅଙ୍କ ହତ୍ୟାରେ ବ୍ୟବହୃତ ହୋଇଥିଲା କି ନାହିଁ ସେ ନେଇ ପୋଲିସ୍ ଖୋଳତାଡ଼ ଜାରି ରଖିଛି ।

Related Posts