ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ସପ୍ତାହକୁ ୨ ଦିନ ୱାର୍କ ଫ୍ରମ ହୋମ ଘୋଷଣା କଲେ ଦିଲ୍ଲୀ ସରକାର । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏବେ କର୍ମଚାରୀମାନେ ସପ୍ତାହକୁ ୨ ଦିନ ଘରେ ରହି କାମ କରିବେ। ଏହାଦ୍ୱାରା ସରକାରୀ ଗାଡ଼ି ଏବଂ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମିବ, ଯାହା ସିଧାସଳଖ ଭାବେ ପେଟ୍ରୋଲ ଓ ଡିଜେଲ ସଞ୍ଚୟରେ ସାହାଯ୍ୟ କରିବ। ସେପଟେ ଇନ୍ଧନ ବଞ୍ଚାଇବା ଅଭିଯାନକୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ସରକାର ‘ମେରା ଭାରତ ମେରା ଯୋଗଦାନ’ ନାମକ ଏକ ନୂତନ ସ୍କିମ୍ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ନିଜ ସ୍ତରରେ ଇନ୍ଧନ ସଞ୍ଚୟ କରିବା ପାଇଁ ଉତ୍ସାହିତ କରିବା ଏହି ଯୋଜନାର ଲକ୍ଷ୍ୟ ।
ଦେଶ ଗଠନରେ ପ୍ରତ୍ୟେକ ବ୍ୟକ୍ତି ଇନ୍ଧନ ବଞ୍ଚାଇ ନିଜର କିଛି ଯୋଗଦାନ ଦିଅନ୍ତୁ ବୋଲି ସରକାର ଆହ୍ବାନ କରିଛନ୍ତି । ସରକାର କେବଳ ସରକାରୀ ସ୍ତରରେ ସୀମିତ ନରହି, ବେସରକାରୀ ବା ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ମଧ୍ୟ ଏହି ମିଶନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାଇଭେଟ୍ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ସପ୍ତାହକୁ ୨ ଦିନ ୱାର୍କ ଫ୍ରମ୍ ହୋମ୍ ଦିଅନ୍ତୁ। ଏହାଦ୍ୱାରା ସହରର ଟ୍ରାଫିକ୍ କମିବା ସହ ବହୁ ପରିମାଣର ଇନ୍ଧନ ସଞ୍ଚୟ କରାଯାଇପାରିବ।
