ପ୍ରଦୂଷଣ ମୁକାବିଲା ନେଇ ଦିଲ୍ଲୀ ସରକାରଙ୍କ ବଡ ପଦକ୍ଷେପ: ଅକ୍ଟୋବରରୁ ଫେବ୍ରୁଆରୀ ଯାଏଁ ଡିଜେଲ ଚାଳିତ ବାହାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ବୃଦ୍ଧି ପାଉଛି ପ୍ରଦୂଷଣ । ଯାହା ଜନଜୀବନ କୁ ଅସ୍ତବ୍ୟସ୍ତ କରିସାରିଲାଣି । ତେବେ ବଢୁଥିବା ପ୍ରଦୂର୍ଶ୍ରଣ କୁ ନେଇ ସରକାରଙ୍କ ଚିନ୍ତା ବଢୁଥିବା ବେଳେ, ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।

ଦିଲ୍ଲୀରେ ଅକ୍ଟୋବରରୁ ଫେବ୍ରୁଆରୀ ଯାଏଁ ଡିଜେଲ ଚାଳିତ ବାହାନ ଉପରେ ସରକାର ରୋକ୍ ଲଗାଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ପରିବହନ ଶିଳ୍ପର ବ୍ୟବସାୟୀମାନେ ଜୋରଦାର ବିରୋଧ କରିଛନ୍ତି ।

କୋଟିକୋଟି ଟଙ୍କାର କ୍ଷତି

ଦିଲ୍ଲୀ ଗୁଡସ୍ ଟ୍ରାନ୍ସଫୋର୍ଟ ଅର୍ଗାନାଇଜେସନର ଅଧ୍ୟକ୍ଷ ରାଜେନ୍ଦ୍ର କପୁର କହିଛନ୍ତି ଯେ, ଦିଲ୍ଲୀକୁ ଦୈନିକ ଦେଢ ଲକ୍ଷ ବାହାନ ବିଭିନ୍ନ ରାଜ୍ୟରୁ ଆସିଥାନ୍ତି । ୯୦ ହଜାର ଗାଡି ସୀମା ବାହାରେ ରହିଥାନ୍ତି ଓ ୫୦ରୁ ୬୦ ହଜାର ବାହାନ ଦିଲ୍ଲୀରେ ପ୍ରବେଶ କରିଥାନ୍ତି । ଯଦି ଏହାକୁ ବନ୍ଦ କରାଯିବ ତେବେ ବ୍ୟବସାୟ ଓ କାରବାର ପ୍ରଭାବିତ ହେବ । କୋଟିକୋଟି ଟଙ୍କାର ବ୍ୟବସାୟୀମାନେ କ୍ଷତି ସହିବେ । ଏହାସହ ଅନେକ ବେରୋଜଗାର ହେବେ ।

ଦିଲ୍ଲୀ ସରକାର ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସର୍ବଦା ପରିବହନ ଶିଳ୍ପକୁ ଦାୟୀ କରି ଆସୁଛନ୍ତି । ତେବେ ଏହାର ପ୍ରକୃତ କାରଣ ବିଭିନ୍ନ କନଷ୍ଟ୍ରକସନ୍ କମ୍ପାନୀ ଓ ବିଭିନ୍ନ ଅଞ୍ଚଳରେ ଚାଲୁଥିବା ଶିଳ୍ପ ଓ କାରଖାନା ଅଟେ । କିନ୍ତୁ ସରକାର ଏସବୁ ଉପରେ କୌଣସି ପ୍ରତିବନ୍ଧକ ଲଗାଉନଥିବା ରାଜେନ୍ଦ୍ର କପୁର କହିଛନ୍ତି ।

ଏହାସହ ପରିବହନ ଶିଳ୍ପରେ ନିୟୋଜିତ କର୍ମକର୍ତ୍ତା ଉପ ରାଜ୍ୟପାଳଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ରାଜ୍ୟପାଳ ନିଜର ସ୍ୱତନ୍ତ୍ର ଅଧିକାର ଜରିଆରେ ସରକାରଙ୍କ ନିଷ୍ପତ୍ତିକୁ ଫେରସ୍ତ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Related Posts