ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ନେତା ତଥା ବିହାରର ପୂର୍ବତନ ମନ୍ତ୍ରୀ ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଥିସହିତ ମାମଲାର ଯାଞ୍ଚ କରି ୩ ମାସ ମଧ୍ୟରେ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ମଧ୍ୟ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦିଲ୍ଲୀରେ ରହୁଥିବା ଜଣେ ଜନୈକ ମହିଳା ୨୦୧୮ ରେ ଏହି ଘଟଣାରେ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପୋଲିସଠାରୁ ନିରାଶ ହେବା ପରେ ହୁସୈନଙ୍କ ବିରୋଧରେ ମାମଲା ଦାଏର କରିବାକୁ କୋର୍ଟଙ୍କୁ ଅପିଲ କରିଥିଲେ ମହିଳା । ଏହାପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ଏହି ମାମଲାରେ ହୁସୈନଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀର ଜନୈକ ମହିଳା ୨୦୧୮ ଜାନୁଆରୀରେ ଶାହାନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମହିଳା ଜଣଙ୍କୁ ହୁସୈନ ଛତରପୁର ଫାର୍ମହାଉସରେ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଏନେଇ ମହିଳା ଜଣଙ୍କ ହୁସୈନଙ୍କ ବିରୋଧରେ ମଜିଷ୍ଟ୍ରେଟ୍ କୋର୍ଟରେ ଦୁଷ୍କର୍ମ ମାମଲା ଦାଏର କରିବାକୁ ଅପିଲ କରିଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଜୁଲାଇ ୭ ତାରିଖରେ ହୁସୈନଙ୍କ ବିରୋଧରେ ୩୭୬, ୩୨୮. ୧୨୦ ,୫୦୬ ଧାରା ଅଧୀନରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ହୁସୈନଙ୍କ ବିରୋଧରେ ମାମଲା ଦାଏର କରିବାକୁ ପୋଲିସ ପଛଘୁଞ୍ଚା ଦେଇଥିଲା । ଏନେଇ ପୋଲିସ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କୋର୍ଟ ଖାରଜ କରିଦେଇଥିଲେ । ଏହାପରେ ହୁସୈନ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ପାଲଟା ଅପିଲ କରିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଆଶା ମେନନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଦାଖଲ ସବୁ ତଥ୍ୟକୁ ଆଧାର କରି ମହିଳାଙ୍କ ଅପିଲକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏହାକୁ ଏକ ସଂଜ୍ଞାନ ଅପରାଧ ବୋଲି କହିବା ସହ ଏହି ମାମଲାରେ ପୋଲିସର ଅନିଚ୍ଛାକୁ ଅଦାଲତ ଭତ୍ସନା କରିଛନ୍ତି । ପୋଲିସ ଦାଖଲ କରିଥିବା ରିପୋର୍ଟ ଅନ୍ତିମ ରିପୋର୍ଟ ନୁହେଁ ବରଂ ପୋଲିସ ଏହି ଘଯଣାର ଯାଞ୍ଚ ୩ ମାସ ମଧ୍ୟରେ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।