ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ହୋଟେଲ ଅଗ୍ନିକାଣ୍ଡ ମାମଲାରେ ରୋଷେଇ ଘରେ ରୋଷେୟାର ଅବହେଳା କାରଣରୁ ବ୍ୟାପିଥିଲା ନିଆଁ। ଏହି ଅଗ୍ନିକାଣ୍ଡରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ସୁରକ୍ଷା ଅବହେଳାକୁ ନେଇ ଶନିବାର ଦିନ ପୋଲିସ ହୋଟେଲର ରୋଷେୟାକୁ ଗିରଫ କରିଛି ଏବଂ ଆହୁରି କିଛି କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ପୋଲିସ ୫୫ ବର୍ଷୀୟ ରୋଷେୟା କେଶବ ନେଗୀଙ୍କୁ ଗିରଫ କରିଛି। ସେ ଦିଲଶାଦ ଗାର୍ଡେନ ଅଞ୍ଚଳର ବାସିନ୍ଦା। ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ଯେ, ରୋଷେଇ ଘରେ ତାଙ୍କର ଅବହେଳା କାରଣରୁ ହିଁ ନିଆଁ ବ୍ୟାପିଥିଲା।
ପୋଲିସ ଅନ୍ୟ କିଛି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଏବଂ ଆଗକୁ ଆହୁରି ଗିରଫଦାରୀ ହେବାର ସମ୍ଭାବନା ରହିଛି।ହୋଟେଲ ମାଲିକଙ୍କ ଘନିଷ୍ଠ ସହଯୋଗୀ ତଥା ଆକାଉଣ୍ଟାଣ୍ଟ ଜୟ ମିଶ୍ର ଏହି ଘଟଣା ପରଠାରୁ ଫେରାର୍ ଅଛନ୍ତି। ହୋଟେଲର ଏକାଧିକ କାଗଜପତ୍ରରେ ତାଙ୍କ ନାମ ରହିଛି। ତାଙ୍କୁ ଧରିବା ପାଇଁ ପୋଲିସ ଏକାଧିକ ଟିମ୍ ନିୟୋଜିତ କରିବା ସହ ବିହାରକୁ ମଧ୍ୟ ଏକ ଟିମ୍ ପଠାଇଛି।ଏହି ମାମଲାରେ ପୋଲିସ ପୂର୍ବରୁ ହୋଟେଲ ମାଲିକ ଲବକେଶ ବଜାଜଙ୍କୁ ଗିରଫ କରି ତାଙ୍କ ନାମରେ ଅବହେଳା ଜନିତ ହତ୍ୟା ମାମଲା ରୁଜୁ କରିସାରିଛି।
ସେପଟେ ଏଫଆଇଆର୍ (FIR) ରିପୋର୍ଟ ଅନୁଯାୟୀ, ହୋଟେଲରେ ମାତ୍ର ୬ଟି ରୁମ୍ ଚଲାଇବା ପାଇଁ ଅନୁମତି ଥିବା ବେଳେ ବେଆଇନ ଭାବେ ୨୮ଟି ରୁମ୍ ଚାଲିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବେସମେଣ୍ଟ୍ ଏକଜିଟ୍ (ବାହାରିବା ରାସ୍ତା) ରେ ତାଲା ପଡ଼ିଥିଲା। ହୋଟେଲରେ ଅଗ୍ନିନିର୍ବାପକ ଯନ୍ତ୍ର ଥିଲେ ମଧ୍ୟ ଜରୁରୀ ପରିସ୍ଥିତିରେ କେହି ତାହାର ବ୍ୟବହାର କରିନଥିଲେ।ଫରେନ୍ସିକ୍ ବିଶେଷଜ୍ଞଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ଅଧିକାଂଶ ଲୋକ ନିଆଁରେ ପୋଡ଼ି ହୋଇ ନୁହେଁ, ବରଂ ପ୍ରବଳ ଧୂଆଁ କାରଣରୁ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।
