ଦିଲ୍ଲୀରେ ଏକ ଠକ ଗୋଷ୍ଠୀଙ୍କ ସରକାର ଚାଲିଛି, ଏହାର ନେତୃତ୍ୱ କେଜ୍ରିୱାଲ ନେଉଛନ୍ତି : ଗୌତମ ଗମ୍ଭୀର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପରାଜ୍ୟପାଳଙ୍କ ସୁପାରିଶ ପରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କର ବିଭିନ୍ନ ଠିକଣାରେ ସିବିଆଇ ଚଢାଉ କରିଛି । ଏହି ଘଟଣାକୁ ନେଇ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଆମ୍ ଆଦମୀ ପାର୍ଟିର ସରକାରକୁ କଟାକ୍ଷ କରିଛନ୍ତି । ଗମ୍ଭୀର କହିଛନ୍ତି କି ଦିଲ୍ଲୀରେ ଏକ ଠକ ଗୋଷ୍ଠୀଙ୍କ ସରକାର ଚାଲିଛି ଓ ଏହାର ନେତୃତ୍ୱ ନେଉଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଗମ୍ଭୀର କହିଛନ୍ତି କି, ଦିଲ୍ଲୀ ସରକାର ଟିକସ ନାମରେ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଏହି ଟଙ୍କାର ମାତ୍ର କିଛି ପ୍ରତିଶତ ସେମାନେ କିଛି ମାଗଣା ଯୋଜନାରେ ବିନିଯୋଗ କରନ୍ତି ଓ ବାକି ଟଙ୍କାକୁ ସେମାନେ ନିଜ ବ୍ୟାଙ୍କ ଖାତାରେ ଜମା କରିଥାନ୍ତି । ଏହା ସହ ପଞ୍ଜାବ ନିର୍ବାଚନ ବେଳେ ନୂଆ ଅବକାରୀ ନୀତି ପ୍ରଣୟନ କରି ହଜାର ହଜାର କୋଟି ଟଙ୍କା ଚାନ୍ଦା ଉଠାଇ ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି ବୋଲି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏନେଇ ଏବେ ସେମାନଙ୍କର ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମ୍ନାକୁ ଆସୁଥିବା କଥା ଗମ୍ଭୀର କଟାକ୍ଷ କରିଛନ୍ତି ।

ଗମ୍ଭୀର ଆହୁରି କହିଛନ୍ତି କି ପ୍ରଥମେ ଆଇନ ମନ୍ତ୍ରୀ, ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଏବେ ଖୋଦ ଉପ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପଦାରେ ପଡିବା ପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଜବାବ ମାଗିବେ । ଦିଲ୍ଳୀ ସରକାର ଖୋଲା ଖୋଲି ଭାବେ ଯେଭଳି କ୍ଷମତାର ଅପବ୍ୟବହାର କରୁଛନ୍ତି ତାହା ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ସିସୋଦିଆଙ୍କ ୨୧ ଟି ଠିକଣାରେ ସିବିଆଇର ଚଢାଉକୁ ଦିଲ୍ଲୀ ବିଜେପି ମହଳା ମୋର୍ଚ୍ଚା ସ୍ୱାଗତ କରିଛି । ସଂଗଠନର ଉପାଧ୍ୟକ୍ଷା ପ୍ରିୟଲ ଭରଦ୍ୱାଜ କହିଛନ୍ତି କି ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଦିଲ୍ଲୀର ଯୁବକଙ୍କୁ ପଥଭ୍ରଷ୍ଟ କରିବା ସହ ଏହା ଫଳରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି ପାଇଛି ।

Related Posts