ଦିଲ୍ଲୀ ବିଧାନସଭା ଅଧିବେଶନ: ବେତନ ସଂଶୋଧନ ବିଧେୟକ ପାରିତ: ୫୪ ହଜାରରୁ ବଢି ୯୦ ହଜାର ଟଙ୍କା ପାଇବେ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଚଳିତ ଅଧିବେଶନରେ ବେତନ ସଂଶୋଧନ ବିଧେୟକ ପାରିତ ହୋଇଛି । ଫଳରେ ମନ୍ତ୍ରୀ, ବିଧାୟକ, ଉପ ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଦରମା ବଢିବ ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୫ରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ, ଯାହା ଏବେ ପାରିତ ହୋଇଛି ।

ଏବେ ନୂଆ ବିଧେୟକ ପାରିତ ହେବା ପରେ ଦିଲ୍ଲାର ବିଧାୟକଙ୍କ ଦରମା ୫୪ ହଜାରରୁ ବଢି ୯୦ ହଜାର ଟଙ୍କା ହୋଇଯିବ । ସୋମବାର ବିଧାନସଭା ଅଧିବେଶନ ସମୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଆଗତ କରାଯାଇଥିଲା । ବିଜେପି ବିଧାୟକ ଏବଂ ବିରୋଧୀ ଦଳ ନେତା ରାମବୀର ବିଘୁଡି ମଧ୍ୟ ଏହାର ସମର୍ଥନ କରିଥିଲେ ।

ବିଧାନସଭାରେ ବିଧେୟକ ଉପରେ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ବିଧାୟକଙ୍କ ବେସିକ ଦରମା ୧୨ ହଜାର ଟଙ୍କା ରହିଛି, ଏହା ଏକ ପରିହାସ ପରି ଲାଗୁଛି । ଏବେ ମୂଳ ଦରମାକୁ ୧୨,୦୦୦ରୁ ବଢାଇ ୩୦,୦୦୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାସହ ସେ କହିଥିଲେ, ଗୋଟିଏ ଅନୁଷ୍ଠାନର ସଫଳତା ପ୍ରତିଭାର ଗୁଣ ଉପରେ ନିର୍ଭର କରେ ଆଉ ଏଥିପାଇଁ ଅର୍ଥ ଦରକାର। ରାଜନୀତିରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଜରୁରୀ ଏବଂ ଏଥିପାଇଁ ଦରମା ଏକ ପ୍ରମୁଖ ଉପଦାନ । ଦରମା ଏବଂ ଭତ୍ତା ମିଶି ଏବେ ବିଧାୟକଙ୍କୁ ପ୍ରତି ମାସରେ ଦରମା ବାବଦକୁ ୯୦ ହଜାର ଟଙ୍କା ।

ସେହିପରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି, ଉପ ବାଚସ୍ପତି ଏବଂ ମୁଖ୍ୟ ସଚେତକ ଏବଂ ବିରୋଧୀ ଦଳ ନେତାଙ୍କ ଦରମା ୭୨,୦୦୦ରୁ ବଢି ୧.୭୦ ଲକ୍ଷ ହେବ। ତେବେ ବର୍ଦ୍ଧିତ ଦରମା ପାଇବା ପାଇଁ ବିଧାୟକଙ୍କ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ। ବିଧାନସଭାରେ ପାରିତ ହେବା ପରେ ଏବେ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଯିବ। ବିଧାନସଭା ସଚିବାଳୟ ଏହି ବିଲକୁ ଦିଲ୍ଲୀ ସରକାରଙ୍କ ସଂସଦୀୟ ବ୍ୟାପର ବିଭାଗ ନିକଟକୁ ପଠାଇବ। ଏହାପରେ ବିଲକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଯିବ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କୁ ନିକଟକୁ ଅନୁମୋଦନ ପାଇଁ ପଠାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୧ରେ ବିଧାୟକଙ୍କ ଦରମା ବୃଦ୍ଧି ହୋଇଥିଲା ।

Related Posts