ଟାଟା ହାତରେ ନୀଳାଚଳ ଇସ୍ପାତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟାଟା ହାତରେ ନୀଳାଚଳ ଇସ୍ପାତ । ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଆଜି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏ ବାବଦରେ ସମ୍ପୃକ୍ତ ଟାଟା କମ୍ପାନୀ ନୀଳାଚଳ ଇସ୍ପାତ ନିଗମର ଅଂଶୀଦାରମାନଙ୍କୁ ଏଣ୍ଟରପ୍ରାଇଜ ଭ୍ୟାଲୁଭାବେ ମୋଟ ୧୨, ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ଅଂଶଧନ କ୍ରୟ ରାଜିନାମା(ଏସ୍ପିଏ)ର ସର୍ତ୍ତ ଅନୁସାରେ ଏହି ଅର୍ଥ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ, କାର୍ୟ୍ୟ ପରିଚାଳନା ପାଇଁ ଋଣ ପ୍ରଦାନକାରୀ, ଆର୍ଥିକ ଋଣଦାତା, ବିକ୍ରେତାଙ୍କ ପ୍ରାପ୍ୟ ଏବଂ ଅଂଶପତ୍ରଧାରୀ ବିକ୍ରେତାଙ୍କ ଇକ୍ୟୁଟି ସକାଶେ ଖର୍ଚ୍ଚ କରାଯାଇଛି । ସେପଟେ ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା କମ୍ପାନୀ (ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟ ଲିମିଟେଡ) ସର୍ବାଧିକ ଅର୍ଥ ଦେବାର ପ୍ରସ୍ତାବ ଦେଇଥିଲା ।

ଏହାପରେ ଏହି କମ୍ପାନୀକୁ ୨୦୨୨ ଫେବୃୟାରୀ ୨ତାରିଖରେ ଲେଟର ଅଫ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହାପରେ ଅଂଶଧନ କ୍ରୟ ଚୁକ୍ତି (ଏସପିଏ) ସ୍ୱାକ୍ଷରିତ ହୋଇଥିଲା ୨୦୨୨ମାର୍ଚ୍ଚ ୧୦ ତାରିଖରେ । ଏହାପରେ ଷ୍ଟ୍ରାଟେଜିକ୍ ପାର୍ଟନର ଏନ୍ଆଇଏନ୍ଏଲ୍ ଓ ଛଅଟି ଅଂଶପତ୍ର ବିକ୍ରେତା ଏସପିଏର ସର୍ତ୍ତ ପୂରଣ କରିବାକୁ ବୁଝାମଣା ଦିଗରେ କାମ ଆରମ୍ଭ କରିଥିଲେ ।ଏଥିରେ ଅପେରସନାଲ କ୍ରେଡିଟରଙ୍କ ପ୍ରାପ୍ୟ, କର୍ମଚାରୀଙ୍କ ପ୍ରାପ୍ୟ, ବିକ୍ରେତାଙ୍କ ଅପରେସନାଲ ପ୍ରାପ୍ୟ ଏବଂ ବିକ୍ରେତାଙ୍କ ଆର୍ଥିକ ପ୍ରାପ୍ୟ ଆଦି ଦେବାର ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା । ଉଭୟପକ୍ଷଙ୍କ ସନ୍ତୋଷ ମୁତାବକ ଏହି ସର୍ତ୍ତ ପାଳନ କରାଯାଇଛି । ଅନ୍ୟପଟେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନ୍ଆଇଏନ୍ଏଲ) ଚାରିଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏମ୍ଏମ୍ଟିସିର ୪୯.୭୮%, ଏନ୍ଏମ୍ଡିସିର ୧୦.୧୦%, ବିଏଚ ଇଏଲର ୦.୬୮% ଓ ମେକ୍ନର ୦.୬୮ ଶତାଂଶ ଅଂଶଧନ ଥିଲା । ଏହାଛଡା ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ମଧ୍ୟ ଏଥିରେ ପୁଞ୍ଜିନିବେଶ କରିଥିଲେ । ସେଥିମଧ୍ୟରୁ ଓଏମ୍ସିର ଅଂଶ ଏନ୍ଆଇଏନ୍ଏଲରେ ୨୦.୪୭ ଶତାଂଶ ଥିବାବେଳେ ଇପିକଲର ଅଂଶ ଥିଲା ୧୨. ୦୦ ଶତାଂଶ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts