ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡିର ଚଢାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗ ନେଇ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି। ଏହି ରାଜ୍ୟ ଗୁଡ଼ିକରେ ଥିବା ମଦ କମ୍ପାନି, ବିତରଣକାରୀ ଓ ଯୋଗାଣ ବ୍ୟବସ୍ଥା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ଇଡିର ଚଢାଉ ଚାଲିଛି। ଏଥିପାଇଁ ଇଡିର ଟିମ୍‌ ଆଜି ସକାଳୁ ମୁଖ୍ୟାଳୟ ଛାଡ଼ି ଘଟଣାସ୍ଥଳକୁ ଯାଇଛନ୍ତି।

ଅନ୍ୟପଟେ ଏହି ଚଢ଼ଉକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଟୁଇଟ୍‌ କରି କେଜ୍ରିୱାଲ ଲେଖିଛନ୍ତି ଯେ, ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ ପାଇବା ଲାଗି ୩ ମାସ ହେବ ୫୦୦ରୁ ଅଧିକ ଚଢ଼ଉ ହେଲାଣି। ୩୦୦ ଜଣ ‘ସିବିଆଇ’ ଓ ‘ଇଡ଼ି’ ର ଅଧିକାରୀମାନେ ୨୪ ଘଣ୍ଟା ଏନେଇ ପରିଶ୍ରମ କରୁଛନ୍ତି ହେଲେ କିଛି ପାଉନାହାନ୍ତି। କାରଣ ସେମିତି କିଛି ‌ହୋଇନାହିଁ।

ସୂଚନାଯୋଗ୍ୟ ଯେ, ‘ସିବିଆଇ’ ‘ଏଫ୍‌ଆଇଆର୍‌’ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦିଲ୍ଲୀର କେତେକ ଅମଲାଙ୍କୁ ଅଭିଯୁକ୍ତ କରାଯାଇଥିବାରୁ ଦିଲ୍ଲୀ ମଦ ନୀତିରେ ‘ଆର୍ଥିକ ଦୁର୍ନୀତି’ ମାମଲାର ସୂତ୍ରପାତ ହୋଇଥିଲା। ଏହି ମାମଲରେ ଅନେକ ପର୍ଯ୍ୟାୟ ଚଢ଼ଉ କରିଥିବା ତଦନ୍ତକାରୀ ଏଯେନ୍ସି ଗତ ସପ୍ତାହରେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ମଧ୍ୟ ଗିରଫ କରିଥିଲ। ପ୍ରବର୍ତ୍ତନ ନିର୍ଦେଶାଳୟ କହିବା ଅନୁସାରେ, ‘ଇଣ୍ଡୋସ୍ପିରିଟ୍‌’ର ମାଲିକ ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇଥର କୋଟି କୋଟି ଟଙ୍କା ଦେଇଛନ୍ତି।

Related Posts