ଭାରତୀୟ ସଶସ୍ତ୍ର ବଳର ସର୍ବୋଚ୍ଚ ପାହ୍ୟାର ଦାୟିତ୍ବ ଗ୍ରହଣ କରି ମୁଁ ଆନନ୍ଦିତ: ଜେନେରାଲ୍‌ ଅନୀଲ ଚୌହାନ୍‌

ନୂଆଦିଲ୍ଲୀ: ଭାରତକୁ ମିଳିଛି ଦ୍ବିତୀୟ ‘ସିଡିଏସ୍‌’। ବିପିନ ରାୱତ୍‌ଙ୍କ ପରେ ଅନୀଲ୍‌ ଚୌହାନ୍‌ ହେଉଛନ୍ତି ଭାରତର ଦ୍ବିତୀୟ ‘ସିଡିଏସ୍‌’। ଏନେଇ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ ପାହ୍ୟା ପାଇ ଆନନ୍ଦିତ ବୋଲି ଆଜି ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ଅନୀଲ ଚୌହାନ୍‌ କହିଛନ୍ତି।

ଦିଲ୍ଲୀର ସାଉଥ୍‌ ବ୍ଲକ୍‌ରେ ‘ଗାର୍ଡ ଅଫ୍‌ ଅନର୍‌’ ଗ୍ରହଣ କରି ଦେଇଥିବା ପ୍ରଥମ ଉଦ୍‌ବୋଧନରେ ‘ସିଡିଏସ୍‌’ ଜେନେରାଲ୍‌ ଅନୀଲ୍‌ ଚୌହାନ୍‌ କହିଛନ୍ତି, ଭାରତୀୟ ସଶସ୍ତ୍ର ବଳର ସର୍ବୋଚ୍ଚ ପାହ୍ୟାର ଦାୟିତ୍ବ ଗ୍ରହଣ କରି ମୁଁ ଆନନ୍ଦିତ। ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍ ଷ୍ଟାଫ୍‌’ ଭାବେ ମୁଁ ତିନି ପ୍ରତିରକ୍ଷା ବାହିନୀଠାରୁ କରାଯାଉଥିବା ପ୍ରତ୍ୟାଶା ପୂରଣ ଲାଗି ଉଦ୍ୟମ କରିବି। ଏକତ୍ର ହୋଇ ଆମେ ସମସ୍ତ ଆହ୍ବାନ ଓ ଅସୁବିଧାର ମୁକାବିଲା କରିବୁ।

ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ‘ସିଡିଏସ୍‌’ ଜେନେରାଲ୍‌ ଚୌହାନ୍‌ ‘ଇଣ୍ଡିଆ ଗେଟ୍‌’ ପରିସରରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକ’ରେ ସହିଦ ଭାରତୀୟ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସେ ରାଇସିନା ହିଲ୍‌ସ୍‌ର ଦକ୍ଷିଣ ବ୍ଲକ୍‌ସ୍ଥିତ ଲନ୍‌ରେ ୩ ବାହିନୀର ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିଥିଲେ।

ଏହି ଉତ୍ସବରେ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ମାର୍ସାଲ୍‌ ଭିଆର୍‌ ଚୌଧରୀ, ନୌସେନା ମୁଖ୍ୟ ଭାଇସ୍‌ ଆଡ୍‌ମିରାଲ୍‌ ଏସ୍‌.ଏନ୍‌. ଘୋର୍ମାଡ଼େ ଏବଂ ଏୟାର୍‌ ମାର୍ସାଲ୍‌ ବି.ଆର୍‌. କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ।

ବିପିନ ରାୱତ୍‌ଙ୍କ ପରେ ଅନୀଲ୍‌ ଚୌହାନ୍‌ ହେଉଛନ୍ତି ଭାରତର ଦ୍ବିତୀୟ ‘ସିଡିଏସ୍‌’। ଆଜି ଦାୟିତ୍ବ ଗ୍ରହଣ କରିସାରିବା ପରେ ଅଫିସରେ ବସିବା ପରେ ପତ୍ନୀ ଅନୁପମା ଚୌହାନ୍‌ଙ୍କ ସହିତ ସେ ଫଟୋ ଉଠାଇଥିଲେ।

ସୂଚନାଯୋଗ୍ୟ, ସେନା ବ୍ୟାପାର ବିଭାଗରେ ମଧ୍ୟ ୬୧ ବର୍ଷିୟ ‘ସିଡିଏସ୍‌’ ଚୌହାନ୍‌ ସଚିବ ଭାବେ କାର୍ଯ୍ୟ କରିବେ। ଅବସର ପ୍ରାପ୍ତ ଜଣେ ‘ଥ୍ରି-ଷ୍ଟାର୍‌’ ଅଫିସର୍‌ଙ୍କୁ (ଅନୀଲ୍‌ ଚୌହାନ୍‌) ଫେରାଇ ଆଣି ‘ଫୋର୍‌-ଷ୍ଟାର୍‌’ ପାହ୍ୟାର କାର୍ଯ୍ୟ ନ୍ୟସ୍ତ କରାଯିବାରେ ଏହା ହେଉଛି ଦେଶରେ ପ୍ରଥମ ।

Related Posts