ହିନ୍ଦୁ ମହାସଭାର ମଣ୍ଡପରେ ମହିଷାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି, ପ୍ରତିବାଦ ପରେ ପୋଲିସ କଲା ହସ୍ତକ୍ଷେପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭା ଦ୍ବାରା ଆୟୋଜିତ ଦୁର୍ଗା ପୂଜା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କ ସହ ସାମଞ୍ଜସ୍ୟ ଥିବା ଧୋତି ପିନ୍ଧା ମହିଷାସୁରକୁ ନେଇ ବିବାଦ ଦେଖାଯାଇଛି। ମଣ୍ଡପରେ ମା ଦୁର୍ଗା ଯାହାକୁ ବଦ୍ଧ କରୁଛନ୍ତି ସେ ମୂର୍ତ୍ତିଟି ମହିଷାସୁର ଭଳି ନୁହଁ ବରଂ ମହାତ୍ମା ଗାନ୍ଧୀଙ୍କ ଭଳି ତିଆରି କରାଯାଇଛି। ଗାନ୍ଧୀ ଜୟନ୍ତୀ ଅବସରରେରେ ମହାତ୍ମା ଗାନ୍ଧୀଙ୍କ ଭଳି ଦିଶୁଥିବା ମହିଷାସୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ବର୍ଗର ନାଗରିକ କୋଲକାତାର ପୂର୍ବ ସୀମାରେ ଥିବା ରୁବି-ବାଇପାସ୍ ନିକଟରେ ଥିବା ପୂଜା ପେଣ୍ଡାଲରେ ଏଭଳି ଚିତ୍ରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ଏହାପରେ ରବିବାର ସନ୍ଧ୍ୟାରେ ପୁଲିସ ଘଟଣା ସ୍ଥଳରେ ଜଣେ କଳାକାରଙ୍କ ସହ ଆସି ପ୍ରତିମା ବଦଳାଇଥିଲେ। ମହିଷାସୁର ମୁହଁରୁ ଚଷମା ହଟାଇ ଦିଆଯାଇଥିଲା। ମୁଣ୍ଡରେ କେଶ ଏବଂ ନିଶ ଲଗା ଯାଇଥିଲା। ଯାହାଫଳ‌ରେ ମୂର୍ତ୍ତିଟି ଅସୁର ଭଳି ଦିଶିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏପରି ଆପତ୍ତିଜନକ ଚିତ୍ରଣର କାରଣ ବିଷୟରେ ପଚରାଯିବାରୁ ଆୟୋଜକ ତଥା ଅଲ୍‌ ଇଣ୍ଡିଆ ହିନ୍ଦୁ ମହାସଭାର ପଶ୍ଚିମବଙ୍ଗ ରାଜ୍ୟ ୟୁନିଟର କାର୍ଯ୍ୟରତ ସଭାପତି ଚନ୍ଦ୍ରଚୁଡ଼ ଗୋସ୍ୱାମୀ କହିଛନ୍ତି ଯେ, ସବୁବେଳେ ଏକ ଥିମ୍‌କୁ ନେଇ ପୂଜା ପେଣ୍ଡାଲର ଆୟୋଜନ କରାଯାଇଥାଏ। ଏହାକୁ ଅଯଥା ରାଜନୈତିକ ରୂପ ଦିଆଗଲା। ମୂର୍ତ୍ତିରେ ଆମେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁ ନଥିଲୁ। କିନ୍ତୁ ସେମାନେ ଆମକୁ ଏହା କରିବାକୁ ବାଧ୍ୟ କରିଛନ୍ତି ବୋଲି ଗୋସ୍ବାମୀ କହିଛନ୍ତି।

Related Posts