
ଦେବଗଡ: ଦେବଗଡ ଆଦର୍ଶ ଥାନା ପୋଲିସକୁ ସଫଳତା । ତିଲେଇବଣୀ ବ୍ଲକ ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଚଢାଉ କରି ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ୍ b। ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ପୂର୍ବନୱାପରା ଅଞ୍ଚଳର କାଳିପଦ ରୟଙ୍କ ପୁଅ ୪୦ ବର୍ଷ ବୟସ୍କ ପ୍ରଶାନ୍ତ ରୟ।
ଏଥିସହ ପୋଲିସ ତାଙ୍କ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିଛି ।
ଗିରଫ ପ୍ରଶାନ୍ତ ଚାରି ବର୍ଷ ପୂର୍ବେ କଦମଦର୍ହ ଗ୍ରାମକୁ ଆସି ଏକ କ୍ଲିନିକ ଖୋଲିବା ସହ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ। ଚିକିତ୍ସା ପାଇଁ ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ଲାଇସେନ୍ସ ମଧ୍ୟ ନଥିବା ଜଣାଯାଇଛି । ଏନେଇ ଦେବଗଡ ଆଦର୍ଶ ଥାନା ପୋଲିସ ଖବରପାଇ ବେଆଇନ ଭାବରେ ଚାଲିଥିବା କ୍ଲିନିକ ଉପରେ ଚଢାଉ କରି ସଂପୃକ୍ତ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । କ୍ଲିନିକ ମଧ୍ୟରୁ ପୋଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ ରୋଗର ଔଷଧ ଜବତ କରିଛନ୍ତି । ସଂପୃକ୍ତ ନକଲି ଡାକ୍ତର ୧୬ ବର୍ଷ ପୂର୍ବେ ଓଡିଶା ଆସିଥିବା ବେଳେ ଦେବଗଡ ଜିଲ୍ଲାକୁ ଆସିବା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାର ଠେଲକୋଲି ଅଞ୍ଚଳରେ ୧୨ ବର୍ଷ ଧରି ଏଭଳି ବେଆଇନ ଭାବେ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଥିବା ପ୍ରକାଶ କରିଛନ୍ତି।