ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ଶାହଜାହାନପୁର ଆସନରୁ ସାଂସଦ ଥିବା ଅରୁଣ କୁମାର ସାଗରଙ୍କୁ ପଳାତକ ଘୋଷଣା କଲେ କୋର୍ଟ। ବାରମ୍ବାର ସମନ ସତ୍ତ୍ୱେ ସେ କୋର୍ଟରେ ହାଜର ନେବାରୁ ତାଙ୍କୁ ପଳାତକ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ। ଅରୁଣ କୁମାର ବିଜେପି ଟିକେଟରେ ନିର୍ବାଚନ ଜିତି ଲୋକସଭାକୁ ଯାଇଛନ୍ତି। ତେବେ ଜଣେ ଲୋକପ୍ରତିନିଧି ହୋଇଥିଲେ ମଧ୍ୟ ସେ କୋର୍ଟଙ୍କ ସମନକୁ ବେଖାତିର କରିଥିଲେ। ଏଥିପାଇଁ ତାଙ୍କୁ ପଳାତକ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ତାଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏଗୁଡ଼ିକୁ ଜବତ କରାଯାଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାରର ପକ୍ଷ ରଖି ନଥିଲେ। ଏଥିପାଇଁ ନଭେମ୍ବର ୨୧ରେ ବିଚାରପତି ଅସମା ସୁଲତାନା ସାଂସଦ ଅରୁଣ କୁମାର ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି।
ସ୍ୱତନ୍ତ୍ର ପିପିଓ ନୀଲିମା ସକ୍ସେନା କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ ବେଳେ ଏସଡିଏମ ସଦର ସାଂସଦ ସାଗରଙ୍କ ଠାରୁ ବରେଲୀ-ଜଲାଲାବାଦ ରୋଡରୁ ନିର୍ବାଚନ ପ୍ରଚାର ସଂକ୍ରାନ୍ତ ଆପତ୍ତିଜନକ ଜିନିଷ ଠାବ କରିଥିଲେ।ଏହାକୁ ସେତେବେଳେ ସିଜ୍ କରାଯିବ ସହ ମାମଲା ମଧ୍ୟ କରାଯାଇଥିଲା। ମାମଲା ରୁଜୁ ହୋଇଥିବାରୁ ଶୁଣାଣି ପାଇଁ ତାଙ୍କୁ ସମନ କରାଯାଇଥିଲା। ହେଲେ ସେ ଗୋଟିଏ ଥର ବି କୋର୍ଟରେ ହାଜର ହୋଇ ନଥିଲେ। ଏଥିପାଇଁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ରୁଜୁ କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନାହିଁ। ଏହି କାରଣରୁ ତାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ନୋଟିସ ସାଗରଙ୍କ ବାସଭବନ ଓ ସର୍ବସାଧାରଣ ସ୍ଥାନରେ ଲଗାଇବାକୁ ମଧ୍ୟ କୋର୍ଟ କହିଛନ୍ତି।





