ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ସବିଶେଷ ତଥ୍ୟ ମଗାଯାଇଛି : କେନ୍ଦ୍ର ଆଇନ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟଙ୍କର ଖଣ୍ଡପୀଠ ସ୍ଥାପନ କରିବା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବୁଧବାର ଦିନ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ବରଗଡ଼ରୁ ଭାରତୀୟ ଜନତା ପାର୍ଟିର ସାଂସଦ ସୁରଶ ପୂଜାରୀ ପ୍ରଶ୍ନ କରିଥିଲେ ଯେ, ” ଜଷ୍ଟିସ୍‌ ଯଶୱନ୍ତ ସିଂହ କମିସନ୍‌ଙ୍କ ରିପୋର୍ଟ ସୁପାରିସ ଅନୁଯାୟୀ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋଟଙ୍କ ସ୍ଥାୟୀ ଖଣ୍ଡପୀଠ ଗଠନ ନିମନ୍ତେ ସରକାର ବିଚାର କରିବେ ନା, ଏଥିପ୍ରତି ଆଗ୍ରହୀ ବ୍ୟକ୍ତିବିଶେଷକଙ୍କ ପରାମର୍ଶ କ୍ରମେ କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ବିଚାରବିମର୍ଶ କରିବେ ?”

ସୁରେଶ ପୂଜାରୀଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ କହି‌ଥିଲେ ଯେ , ” ଯଶୱନ୍ତ ସିଂହ କମିସନ୍,୨୦୦୦ ମସିହାର ‘ଡବ୍ଲୁ.ପି. (ସି) ନମ୍ବର ୩୭୯ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ଏବଂ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବକୁ ବିଚାର କରାଯାଇ ପ୍ରମୁଖ ଆସନ ବ୍ୟତୀତ ଅନ୍ୟ ସ୍ଥାନରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ କରାଯାଇଥାଏ।

ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବରେ ଖଣ୍ଡପୀଠ ସ୍ଥାପନ କରିବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବା ଓ ହାଇକୋର୍ଟ ଖଣ୍ଡପୀଠ ନିର୍ମାଣ ନିମନ୍ତେ ବ୍ୟୟଭାର ବହନ କରିବାର ଆଗ୍ରହ ଦେଖାଇବା ଏବଂ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସମ୍ମତି ଆଦି ରହିବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି। ଏପଟେ କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟଙ୍କ ସହ ପରାମର୍ଶ କରି ପ୍ରସ୍ତାବିତ ଖଣ୍ଡପୀଠ ସ୍ଥାପନ ହେବାକୁ ଥିବା ସ୍ଥାନ ନିରୂପଣ ଏବଂ ଖଣ୍ଡପୀଠ ସମ୍ବନ୍ଧୟ ସବିଶେଷ ବିବରଣୀ ପ୍ରସ୍ତୁତି ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସୁତରାଂ ବର୍ତ୍ତମାନ ସୁଦ୍ଧା , ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଡ଼ି ରହିନାହିଁ ବୋଲି ଜଣାପଡିଛି।

Related Posts